ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍କୁ ୩୬ ଘଣ୍ଟା ବିତି ସାରିଥିଲେ ମଧ୍ୟ ତା’ର ପତ୍ତା ପାଇନି କମିଶନରେଟ୍ ପୁଲିସ୍। ହାଇଦରକୁ ଧରିବାକୁ ପୁଲିସ ତନାଘନା ଚଳାଇଥିବା ବେଳେ ହାଇଦରର ମୁଖ୍ୟ ସହଯୋଗୀ କୁହାଯାଉଥିବା ୟାକୁବ୍ ଖାଁ ସରେଣ୍ଡର କରିଛି । କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି ୟାକୁବ୍ ଖାଁ ।
ବିଭିନ୍ନ ସ୍ଥାନରେ ପୁଲିସର ଚଢ଼ାଉ ପରେ ଚାପରେ ଆତ୍ମସମର୍ପଣ କଲା ୟାକୁବ୍ । । ୟାକୁବ କଟକ ବଡ଼ ମେଡିକାଲରେ ହାଇଦରକୁ ବାରମ୍ବାର ଭେଟି କାମଧନ୍ଦା ପାଇଁ କହିଥିଲା । ବାଲିଘାଟ ଓ ଠିକା କାମ ପାଇଁ ହାଇଦରକୁ ୟାକୁବ କହିଥିଲା । ସେହିପରି ମେଡିକାଲରେ ହାଇଦରକୁ ବିରିୟାନି ଖାଇବାକୁ ଦେଇଥିବା କଥା ମାନିଥିବା ବେଳେ ହାଇଦର ଫେରାର୍ ହେବା ନେଇ ସେ କିଛି ଜାଣି ନଥିବା କହିଛି । ୟାକୁବ କହିଛି, ସେ ଚାହେଁନି ତା ପରିବାର ତା ପାଇଁ ଅସୁବିଧାରେ ପଡୁ। ତେଣୁ ସେ ପୋଲିସଠାରେ ଆତ୍ମ ସମର୍ପଣ କରିଛି ।
ହାଇଦର ଫେରାର ହେବା ପରଠାରୁ ଓଡ଼ିଶା ପୋଲିସର ନିଦ ହଜିଯାଇଛି । ଫେରାର ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ଅପରେସନ ହାଇଦର ନାଁର ବଡ଼ ଅପରେସନ ଆରମ୍ଭ ହୋଇଛି । ସଡ଼କ ପଥରୁ ରେଳପଥ, ସୀମା ଅଞ୍ଚଳରୁ ପ୍ରମୁଖ ଛକ । ସବୁଠି ଯାଂଚ ଚାଲିଛି । ଏସସିବିର ନର୍ସଙ୍କ ବୟାନ ରେକର୍ଡ କରାଯିବା ପରେ ମେଡିକାଲ ସିସିଟିଭି ଯାଞ୍ଚ ହେଉଛି । ହାଇଦରକୁ ତୁରନ୍ତ ଗିରଫ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ସୁରକ୍ଷା ଦାୟିତ୍ବରେ ଥିବା ୬ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ଏମାନେ ସମସ୍ତେ ହାଇଦରର ସୁରକ୍ଷା ଦାୟିତ୍ବରେ ଥିଲେ ।