ଟିକା ନାହିଁ । ଟିକାକରଣ ବନ୍ଦ ରହିବ । ଟିକା ଆସିଲା ପରେ ପୁଣି ଗୁରବାରଠୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟରେ ଟିକାର ଅଭାବ ନେଇ ଲାଗିଲା ନୋଟିସ । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ଗୁଡସ ରୋଡରେ ଥିବା ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ନୋଟିସ ଲାଗିଥିବାର ଦେଖିବାକୁ ମିଳିଛି ।
କରୋନାର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ଜୋର ଦେଉଛନ୍ତି । ହେଲେ ରାଜ୍ୟରେ କରୋନା ଟିକାର ଘୋର ଅଭାବ ଦେଖା ଦେଲାଣି । ବ୍ରହ୍ମପୁର ସହର ଗୁଡସ ରୋଡରେ ଥିବା ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରେ ନୋଟିସ ଲଗାଇ ଟିକା ନଥିବା ସୂଚନା ଦିଆଯାଇଛି । ସୋମବାର, ମଙ୍ଗଳବାର ଓ ବୁଧବାର ଟିକାଦାନ ବନ୍ଦ ରହିବା ନେଇ ଲୋକଙ୍କୁ ଅବଗତ କରାଯାଇଛି । ଗୁରୁବାରଠାରୁ ପୁଣି ଟିକାଦାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ଗଞ୍ଜାମ ଜିଲ୍ଲାରେ ମୋଟ୍ ୧୦୧ କେନ୍ଦ୍ରରେ ଟିକାଦାନ ପାଇଁ ବ୍ୟବସ୍ଥା କରାଯାଇଥିଲା । ଆଜି କେତେକ କେନ୍ଦ୍ରରେ ଟିକାକରଣ ହେବ ଏବଂ ଅନ୍ୟ କେନ୍ଦ୍ରରେ ଆବଶ୍ୟକ ମୁତାବକ ଟିକା ନଥିବାରୁ ଟିକାଦାନ ବନ୍ଦ ରହିବ ବୋଲି ଜଣାପଡିଛି ।
ସେପଟେ ଆଜି ଅପରାହ୍ନରେ ୩ ଲକ୍ଷ ୪୯ ହଜାର ଟିକା ପହଞ୍ଚିବ । ତେବେ ଯେତିକି ଟିକା ଆସୁଛି ତାହା ୩ ଦିନ ହିଁ ଯିବ । ଯଦି ଟିକା ନ ଆସେ ତେବେ ଆଗକୁ ଟିକାକରଣ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । ତେଣୁ ପୁଣି ଆଉ ଥରେ ଆମେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବୁ ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।