ଯାଜପୁରରେ ରାସ୍ତା କଡ଼ରୁ ମିଳିଲା ମୟୁରଭଂଜ ଯୁବତୀଙ୍କ ମୃତଦେହ । ଯୁବତୀ ଜଣକ ଭୁବନେଶ୍ୱରରେ ରମାଦେବୀ କଲେଜରେ ଯୁକ୍ତ ୩ରେ ପାଠପଢୁଥିବା ଜଣାପଡିଛି ।ଭୁବନେଶ୍ୱରରୁ ଯଶୀପୁର ଯାଉଥିବା ବେଳେ ବାଣୀବିହାରରେ ଓହ୍ଲାଇ ପଡିଥିଲେ ଯୁବତୀ ଜଣଙ୍କ । ଏହା ପରେ ତାଙ୍କର ଖୋଜ ଖବର ମିଳିନଥିଲା ।
ଯାଜପୁର-କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତ ମୂଳାପାଳ ଦିଆଲଖଣ୍ଡି ରାସ୍ତା କଡରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଦୁଇ ଜଣ ଯୁବକ ମୃତ ଛାତ୍ରୀଙ୍କୁ ଏକ ସ୍କୁଟିରେ ନେଉଥିବା କିଛି ଲୋକ ଦେଖିଥିବା ଜଣାପଡିଥିଲା । ପରେ ସେହି ରାସ୍ତାକଡରୁ ଛାତ୍ରୀଙ୍କ ମୃତଦେହ ପଡିଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଯୁବତୀଙ୍କ ମୃତଦେହ ପାଖରେ ଏକ ବ୍ୟାଗ୍ ମଧ୍ୟ ପଡିଥିବା ଦେଖିବାକୁ ମିଳିଥିଲା ।
ବସରୁ ଓହ୍ଲାଇବା ପରେ ତାଙ୍କ ସହ କଣ ଘଟିଲା ଏବଂ କେମିତି ମୃତ୍ୟୁ ହେଲା ସେନେଇ କୌଣସି ସୁରାକ୍ ମିଳୁନାହିଁ । କିନ୍ତୁ, ଏହା ଭିତରେ ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି ।ସିସିଟିଭି ଫୁଟେଜ୍ରେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ବସାଇ ଛାତ୍ରୀଙ୍କୁ ନେଉଥିବା ଦେଖିବାକୁ ମିଳିଛି । ଜଣେ ଯୁବକ ଗାଡି ଚଲାଉଥିବା ବେଳେ ଆଉ ଜଣେ ଯୁବକ ମୃତ ଛାତ୍ରୀଙ୍କୁ ଧରି ବସିଥିବାର ସିସିଟିଭି ଫୁଟେଜ୍ରେ ରହିଛି । ଯାହାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି ।
ରାଜଧାନୀରେ ରମାଦେବୀ କଲେଜରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷରେ ପଢୁଥିବା ଝରାଫୁଲଙ୍କ ମୃତଦେହ ଏମିତି ଅବସ୍ଥାରେ ମିଳିବ ହୁଏତ କେହି କଳ୍ପନା କରିନଥିବେ । ଦେହରେ ପୋଷାକପତ୍ର ଠିକ ଥିଲା କିନ୍ତୁ, ଜୀବନ ନଥିଲା । ରାସ୍ତାକଡରେ ଏମିତି ଅବସ୍ଥାରେ ପଡିଥିଲା ମୃତଦେହ ।କୌଣସି ଏକ କାମରେ ଭୁବନେଶ୍ୱର ଆସି ପୁଣି ଯଶୀପୁର ମରୁଣ୍ଡେଇପଶି ଗାଁକୁ ଫେରୁଥିଲେ ଝରାଫୁଲ । କିନ୍ତୁ ପେଟ ଖରାପ କହି, ବାଣିବିହାରରେ ଓହ୍ଲାଇପଡିଥିଲେ । ତାପରେ ତାଙ୍କୁ ତାଙ୍କ ଭାଇ ଫୋନ କରିଥିଲେ, କିନ୍ତୁ ସେ ଫୋନ ରିସିଭ କରିନଥିଲେ । ପରେ ରାତି ୧୨ଟାରେ ଭାଇଙ୍କୁ ଫୋନ କରି ଠିକ ଅଛନ୍ତି, ଏବଂ ସେମାନେ ଚିନ୍ତା କରନ୍ତୁ ନାହିଁ ବୋଲି କହିଥିଲେ ।