କରୋନା ଭାଇରସର ସଂକ୍ରମଣକୁ କାବୁ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ କରୋନା ଗାଇଡଲାଇନ୍କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଲାଗୁ କରାଯାଇଥିବା ଗାଇଡଲାଇନକୁ ଜାନୁୁଆରି ୩୧ ପର୍ୟ୍ୟନ୍ତ ବଳବତ୍ତର ରଖିଛନ୍ତି କେନ୍ଦ୍ର ସରକାର । ଗୃହ ମନ୍ତ୍ରାଳୟ କହିଛି ଯେ, ଯେଉଁ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ସେଠାରେ ପୂର୍ବଭଳି କଣ୍ଟେନମେଣ୍ଟ୍ ଜାରି ରହିବ । ଏହି ସବୁ ଅଞ୍ଚଳରେ କୋଭିଡ୍-୧୯ ଗାଇଡଲାଇନ୍ କଡା ପାଳନ କରାଯିବାକୁ ନିର୍ଦେଶ ଦିଆଯାଇଛି ।
କରୋନାଭାଇରସ୍ ର ନୂଆ ଷ୍ଟ୍ରେନ (ନୂତନ ରୂପ) ଏବେ ସମଗ୍ର ବିଶ୍ବର ଚିନ୍ତା ବଢ଼ାଇଥିବା ବେଳେ ଏ କ୍ଷେତ୍ରରେ ଅଧିକ ସତର୍କ ରହିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରାଳୟ ଜାନୁଆରି ୩୧,୨୦୨୧ ପର୍ୟ୍ୟନ୍ତ ପୂର୍ବରୁ ଲାଗୁଥିବା ଗାଇଡଲାଇନକୁ ବଳବତ୍ତର ରଖିବାକୁ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ଖାସ କରି ବ୍ରିଟେନ୍ରେ ଯେଉଁଭଳି ଭାବେ କରୋନାର ନୂଆ ରୂପ ଦେଖିବାକୁ ମିଳୁଛି ତାହା ନିହାତି ଭାବେ ଚିନ୍ତାଜନକ । ଏଥିପାଇଁ ସତର୍କ ରହିବା ଜରୁରୀ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଦେଶରେ ସକ୍ରିୟ ଏବଂ ନୂତନ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଉଥିଲେ ମଧ୍ୟ ବିଶ୍ବ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୯୭ ଲକ୍ଷ ୮୨ ହଜାର ୬୬୯ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ସାରିଲେଣି । ଗତ ମାସେ ହେଲା ଦୈନିତ ସଂକ୍ରମଣ ଠାରୁ ସୁସ୍ଥ ହାର ଅଧିକ ରହୁଥିବା ଲକ୍ଷ କରାଯାଇଛି । ବର୍ତ୍ତମାନ ଦେଶରେ ୨ ଲକ୍ଷ ୭୭ ହଜାର ୩୦୧ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୨୦୦୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଭାବେ ୨୪ ଘଣ୍ଟା ମଧ୍ୟରେ ୨୧୧୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ପୂର୍ବରୁ ଯେଉଁ ଏସଓପି ଜାରି କରାଯାଇଥିଲା, ତାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯିବା ସହ କଣ୍ଟେଣ୍ଟମେଣ୍ଟ ଜୋନ ଚିହ୍ନଟ କରି ପୂର୍ବ ଭଳି କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ମନ୍ତ୍ରାଳୟ।