ମୁଣ୍ଡ ନୁଆଁଇବେ ମୋଦି ସରକାର?

କେନ୍ଦ୍ର ସରକାର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଚାଲିଥିବା ଆଲୋଚନା କିଛି ମାତ୍ରାରେ ସଫଳ ହୋଇଥିବା ସୂଚନା ମିଳିଛି । ଚାଷୀମାନେ ରଖିଥିବା ୪ଟି ଦାବି ମଧ୍ୟରୁ ୨ଟିରେ ସହମତି ଦେଇଛି କେନ୍ଦ୍ର । ୪୧ ଚାଷୀ ସଂଘ ଓ ସରକାରଙ୍କ ସହ ବୈଠକ ଶେଷ ହେବା ପରେ ଏହା ଜଣାପଡ଼ିଛି। ଜାନୁଆରୀ ୪ରେ ଏହି ବୈଠକ ହେବ । ତେବେ ତିନି କୃଷି ଆଇନ୍ ରଦ୍ଦ ହେବନି ବୋଲି ଜଣାପଡ଼ିଛି। ଯାହାକି ଆନ୍ଦୋଳନରତ ଚାଷୀଙ୍କର ଦାବି ରହିଛି।

କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ ଆଜିର ଆଲୋଚନା ବେଶ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହୋଇଥିଲା । ଚାଷୀମାନେ ରଖିଥିବା ୪ଟି ଦାବି ମଧ୍ୟରୁ ୨ଟିରେ ସହମତି ସୃଷ୍ଟି ହୋଇଛି । ପ୍ରଥମ ଦାବିଟି ଏକ ପରିବେଶ ସଂପର୍କିତ ଅଧ୍ୟାଦେଶକୁ ନେଇ ଥିଲା । ଏହି ଅଧ୍ୟାଦେଶ ଅନୁସାରେ ଚାଷୀମାନେ ନଡ଼ା ଜାଳିବା ନେଇ ଜୋରିମାନାର ବ୍ୟବସ୍ଥା ଥିବାରୁ ତାହାକୁ ଚାଷୀମାନେ ବିରୋଧ କରୁଥିଲେ । ତେବେ ଏଥିରୁ ଚାଷୀମାନଙ୍କୁ କୋହଳତା ଦେବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି । ଚାଷୀଙ୍କ ୨ୟ ଦାବିଟି ଥିଲା ଜଳସେଚନ ପାଇଁ ଦିଆଯାଉଥିବା ବିଦ୍ୟୁତ ସବସୀଡି ଜାରି ରହୁ । ଏହାକୁ ସରକାର ମାନି ନେଇଛନ୍ତି ।

ଏହା ଭିତରେ ୩୫ ଦିନରେ ପହଂଚିଲାଣି ଚାଷୀଙ୍କ ଆନ୍ଦୋଳନ । ନିଜ ଦାବିରୁ ଓହରୁ ନାହାନ୍ତି ଚାଷୀ । ସେହିପରି ସରକାର ମଧ୍ୟ ତାଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରୁନଥିଲେ । ଶେଷରେ ଆଜି ସରକାର ଦୁଇଟି ସର୍ତ୍ତରେ ରାଜି ହୋଇଛନ୍ତି । କେନ୍ଦ୍ର ରାଜ୍ୟମନ୍ତ୍ରୀ ତଥା ପଞ୍ଜାବ ସାଂସଦ ସୋମ ପ୍ରକାଶ ମଧ୍ୟ ଏହି ବୈଠକରେ ସାମିଲ୍ ଥିଲେ। ଆନ୍ଦୋଳନ ପାଇଁ ଅର୍ଥନୀତି ପ୍ରଭାବିତ ହେଉଛି ବୋଲି ଆନ୍ଦୋଳନରତ ଚାଷୀଙ୍କୁ ସେ କହିଥିଲେ। ଏ ବାବଦରେ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ହସ୍ତକ୍ଷେପ କରିବାକୁ କହିବେ ବୋଲି ଜଣାପଡ଼ିଛି।

Comments (0)
Add Comment