୩ ମେୟର ପଦ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ସଂରକ୍ଷଣ ତାଲିକା

ପଞ୍ଚାୟତ ନିର୍ବାଚନ ପରେ ପରେ ହେବ ପୌର ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହିକ୍ରମରେ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମେୟର ପଦବୀ ପାଇଁ ସଂରକ୍ଷଣ ତାଲିକା ଚୂଡ଼ାନ୍ତ ହୋଇଛି। ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଭୁବନେଶ୍ୱର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। କଟକ ମେୟର ପଦବୀ ଅଣସଂରକ୍ଷିତ ରହିଥିବା ନେଇ ଚୂଡ଼ାନ୍ତ ବିଜ୍ଞପ୍ତିରେ କୁହାଯାଇଛି। ତେବେ ଏଥର ପଛୁଆ ବର୍ଗଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ରହିନାହିଁ।
ବ୍ରହ୍ମପୁର, କଟକ, ଭୁବନେଶ୍ୱର ପାଇଁ ଓ୍ୱାର୍ଡ ସୀମା ନିର୍ଦ୍ଧାରଣ ଚୂଡ଼ାନ୍ତ ହୋଇଛି । ସୀମା ନିର୍ଦ୍ଧାରଣ ସହ ପ୍ରକାଶ ପାଇଛି ଚୂଡ଼ାନ୍ତ ସଂରକ୍ଷଣ ତାଲିକା। ବ୍ରହ୍ମପୁରର ମୋଟ୍ ୪୨ଟି ଓ୍ୱାର୍ଡରୁ ୨୩ଟି ଓ୍ୱାର୍ଡ ସଂରକ୍ଷିତ ରହିଛି । କଟକରେ ମୋଟ୍ ୫୯ଟି ଓ୍ୱାର୍ଡରୁ ୩୩ଟି ୱାର୍ଡ ସଂରକ୍ଷିତ ରହିଛି । ଭୁବନେଶ୍ୱରର ୬୭ଟି ଓ୍ୱାର୍ଡରୁ ୩୮ଟି ସଂରକ୍ଷିତ ନେଇ ତାଲିକା ପ୍ରକାଶ ପାଇଛି । ବ୍ରହ୍ମପୁର ମହାନଗର ନିଗମର ୪୮ଟି ୱାର୍ଡ ମଧ୍ୟରୁ ୨୩ଟି ରିଜର୍ଭସନ ରହିବ। ଅନୁସୂଚିତ ଜାତି ବର୍ଗର ମହିଳାଙ୍କ ପାଇଁ ୨ଟି, ଅନୁସୂଚିତ ଜନଜାତି ପାଇଁ ୨, ଅନୁସୂଚିତ ଜନଜାତି ମହିଳା ପାଇଁ ଗୋଟିଏ ଆସନ ସଂରକ୍ଷିତ ରହିଛି। ସେହିପରି ବଳକା ଆସନଗୁଡ଼ିକରେ କେବଳ ମହିଳା ପ୍ରାର୍ଥୀ ଲଢ଼େଇ କରିପାରିବେ।
ଭୁବନେଶ୍ୱର ମହାନଗର ନିଗମର ୬୭ ୱାର୍ଡ ମଧ୍ୟରୁ ୩୮ଟି ରିଜର୍ଭସନ ରହିବ। ଏହା ମଧ୍ୟରୁ ଅନୁସୂଚିତ ଜାତିର ମହିଳା ପାଇଁ ୩, ଅନୁସୂଚିତ ଜାତି ପାଇଁ ୩ , ଅନୁସୂଚିତ ଜନଜାତିର ମହିଳାଙ୍କ ପାଇଁ ୨ଟି, ଅନୁସୂଚିତ ଜନଜାତି ପାଇଁ ଗୋଟିଏ ଆସନ ରହିଛି। ଅନ୍ୟ ସବୁ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇ ରହିବ।
କଟକ ମହାନଗର ନିଗମରେ ୫୯ ୱାର୍ଡ ମଧ୍ୟରୁ ୩୩ଟି ରିଜର୍ଭସନ ରହିବ। ଏହା ମଧ୍ୟରୁ ଅନୁସୂଚିତ ଜାତିର ମହିଳା ପାଇଁ ୪ , ଅନୁସୂଚିତ ଜାତି ପାଇଁ ୩ଟି ସିଟ୍‌, ଅନୁସୂଚିତ ଜନଜାତିର ମହିଳା ପାଇଁ ଗୋଟିଏ ଆସନ ସଂରକ୍ଷିତ ରହିବ। ବଳକା ସଂରକ୍ଷିତ ସିଟ୍‌ରେ ମହିଳାମାନେ ପ୍ରାର୍ଥୀ ହେବେ। ସେହିପରି କଟକର ବାକି ୱାର୍ଡ ଅଣସଂରକ୍ଷିତ ରହିଛି।

Comments (0)
Add Comment