ହନୁମାନ ପଇସା ନାଁରେ ୨ କୋଟିର ଡିଲ୍ । ହନୁମାନ ମୁଦ୍ରାକୁ ବିକ୍ରି କରି ଗ୍ରାହକଙ୍କୁ ୨ କୋଟି ଟଙ୍କାର ଚୂନା ଲଗାଇବାର ଉଦ୍ୟମ ବିଫଳ କରିଛି ବ୍ରହ୍ମପୁର ବଡ ବଜାର ଥାନା ପୁଲିସ। ହନୁମାନ ପଇସା ବିକ୍ରି ପାଇଁ ଡିଲ୍ ବେଳେ ଚଢ଼ାଉ କରି ରାକେଟକୁ ଧରିଛି ପୋଲିସ । ୩ଟି ହନୁମାନ ପଇସା ଜବତ କରିବା ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ହନୁମାନ ଚିତ୍ର ଥିବା ମୁଦ୍ରା ବିକ୍ରି କରି କୋଟିପତି ହେବାର ସ୍ବପ୍ନ ଧୂଳିସାତ୍ ହୋଇଛି। ହନୁମାନ ମୁଦ୍ରା ବିକ୍ରି ପାଇଁ ଯୋଜନା ଚାଲିଥିବା ବେଳେ ପୁଲିସ ଅତର୍କିତ ଭାବେ ଚଢ଼ାଉ କରିଛି। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସମ୍ବଲପୁର କ୍ଷେତରାଜପୁର ଥାନା ଅଂଚଳର ପ୍ରଦୀପ ମହାପାତ୍ର, ସୁରେଶ ମେହେର, ସାସନ ଥାନା ଅଂଚଳର ଅନିଲ କୁସୁ, ସୁନ୍ଦରଗଡ଼ ଜିଲ୍ଲା ପାନପୋଷ ଅଂଚଳର ଜୟନ୍ତ ପ୍ରଧାନ, ବିଜେନ କୁମାର ବାଗ, ଗଂଜାମ ଜିଲ୍ଲା ସୋରଡ଼ା ଅଂଚଳର ଅକ୍ଷୟ କୁମାର ଓ କେ ନୂଆଗାଁ ଥାନା ଅନ୍ତର୍ଗତ ବୋମକେଇ ଗାଁର ଏସ ଜୟରାମ ପାତ୍ର।
ଅଭିଯୁକ୍ତମାନେ ୩ଟି ହନୁମାନ ପଇସାକୁ ୨ କୋଟି ଟଙ୍କାରେ ବିକ୍ରି ପାଇଁ ଡିଲ୍ କରୁଥିଲେ । ଅଭିଯୁ୍କ୍ତଙ୍କ ଠାରୁ ୩ଟି ହନୁମାନ ପଇସା ସହ ନଗଦ ଦେଢ ଲକ୍ଷ ଟଙ୍କା,, ୨ଟି ବାଇକ୍, ମ୍ୟାଗ୍ନେଟ୍, ସ୍ପିରିଟ୍ ଓ ଅନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି । ଘଟଣାସ୍ଥଳରୁ ଘର ମାଲିକ ସୂର୍ୟ୍ୟ ପାତ୍ର ଖସି ଯାଇଥିବା ବେଳେ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।ଘଟଣାରେ ବଡ ବଜାର ପୋଲିସ ମାମଲାର ରୁଜୁ କରି ତଦନ୍ତ ଚଳାଇଛି।