କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଜୋରଦାର କରାଯାଉଥିବା ବେଳେ ଟିକାର ଅଭାବ ଯୋଗୁ ଧାର୍ଯ୍ୟ ଲକ୍ଷ୍ୟସ୍ଥଳରେ ପହଚିଂବା ସମ୍ଭବ ହେଉନାହିଁ । ଟିକାକରଣ ଚାଲିଥିଲେ ମଧ୍ୟ ଟିକା ପର୍ୟ୍ୟାପ୍ତ ପରିମାଣର ମିଳୁନାହିଁ। ରାଜ୍ୟରେ ଟିକାର ଅଭାବକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାକୁ ଆଉ ୨୫ଲକ୍ଷ ଅଧିକ ଟିକା ଦେବାକୁ ଚିଠିରେ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଖୋଲା ବଜାରରେ ଟିକା ଉପଲବ୍ଧ କରାଇବାକୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୋଲା ବଜାରରେ ମିଳୁ କରୋନା ଟିକ। । ଟିକା ଖୋଲା ବଜାରରେ ମିଳିଲେ ଆଶାୟୀ ଟିକା କିଣି ନେଇପାରିବେ । ବିଶ୍ୱରେ ସ୍ୱୀକୃତ ଟିକାକୁ ଆମ ଦେଶରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳୁ। ଏପରି ହେଲେ ଟିକା ଯୋଗାଣ ବୃଦ୍ଧି କରାଯାଇ ପାରିବ ବୋଲି ନବୀନ ଲେଖିଛନ୍ତି। ତେବେ ଚାହିଦା ମୁତାବକ ରାଜ୍ୟକୁ ଟିକା ମିଳୁନଥିବାରୁ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ଏଥିସହ ବିଶ୍ୱସ୍ତରରେ ସ୍ୱୀକୃତି ପାଇଥିବା କରୋନା ଟିକାଗୁଡିକର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ଚିଠିରେ ଲେଖିଛନ୍ତି । ଭାରତରେ ଟିକା ଉତ୍ପାଦନ ପାଇଁ ଯଥେଷ୍ଟ କ୍ଷମତା ରହିଛି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକ ଟିକା ଉତ୍ପାଦନ ସଂସ୍ଥାକୁ ସହାୟତା ଯୋଗାଇ ଦେବା ଉପରେ ସେ ଗୁରୁତ୍ୱ ଦେବାକୁ କହିଛନ୍ତି ।
ସର୍ବାଧିକ କରୋନା ସଂକ୍ରମିତ ସହର ଗୁଡିକୁ ପ୍ରାଧାନ୍ୟ ଦିଆଯାଉ । ରାଜ୍ୟଗୁଡିକୁ ଠିକ୍ ସମୟରେ ଯଥେଷ୍ଟ ପରିମାଣରେ ଟିକା ଯୋଗାଇ ଦିଆଯାଉ । ଯାହାଦ୍ୱାରା କରୋନା ସହ ଲଢିବାରେ ଶକ୍ତି ମିଳିବ । ଏହା ସହ ଓଡିଶାରେ ଟିକା ନେବା ପାଇଁ ଲୋକେ ଆଗ୍ରହୀ ଅଛନ୍ତି । ମାତ୍ର ଟିକା ଉପଲବ୍ଧ ନଥିବାରୁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।