୨୦ ଦିନ ଆଗରୁ ବିଧାନସଭା ଶୀତ ଅଧିବେଶନ ଶେଷ

୨୦ ଦିନ ଆଗରୁ ବିଧାନସଭା ଶୀତ ଅଧିବେଶନ ଶେଷ । ବିଧାୟକଙ୍କ ହୋହଲ୍ଲା ଆଉ ହଟ୍ଟଗୋଳ ଭିତରେ ଶେଷ ହୋଇଛି ବିଧାନସଭାର ଶୀତ ଅଧିବେଶନ । ୧୭ଟି କାର୍ୟ୍ୟଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଡିସେମ୍ବର ପହିଲାରୁ ଆରମ୍ଭ ହୋଇଥିବା ବିଧାନସଭା ଅଧିବେଶନ ଚଳିତ ଥର ଗୋଟିଏ ଦିନ ବି ଠିକ୍ ଭାବେ ସୁରୁଖୁରୁରେ ଚାଲିପାରିନଥିଲା । ୯ଟି କାର୍ୟ୍ୟଦିବସରେ ମାତ୍ର ୨ ଘଣ୍ଟା ପାଇଁ ଚାଲିପାରିଥିଲା ଗୃହ କାର୍ୟ୍ୟ ।

ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ବର୍ଷ ଲାଗି ସିଏଜି ରିପୋର୍ଟ ଉପସ୍ଥାପନ କରିଥିଲେ । ଏହାପରେ ବିରୋଧୀ ବିଧାୟକଙ୍କ ପ୍ରବଳ ହଟ୍ଟଗୋଳ ଭିତରେ ବ୍ୟୟମଞ୍ଜୁରୀ ବିଲ ପାରିତ ହୋଇଥିଲା । ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ମଧ୍ୟ ଶେଷ ଦିନରେ ଅନୁମୋଦନ ମିଳିଥିଲା । ଏହାପରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ ।ଡିସେମ୍ବର ପହିଲାରୁ ବିଧାନସଭା ଶୀତ ଅଧିବେଶନରେ ମମିତା ଝଡ ଦେଖିବାକୁ ମିଳିଥିଲା । ବିରୋଧୀ ଦଳର ବିଧାୟକମାନେ ଲଗାତାର ଗୃହରେ ହୋହଲ୍ଲା କରିବା ସହିତ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ସେପଟେ ଦରବୃଦ୍ଧି ଘଟଣାକୁ ନେଇ ମଧ୍ୟ କାଉଣ୍ଟର ଆଟାକ୍ କରିଥିଲା ଶାସକ ଦଳ ।

Comments (0)
Add Comment