ଭୁବନେଶ୍ୱର ଚନ୍ଦକା ରାସ୍ତା ଦାଶପୁର ଅଞ୍ଚଳରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ଅନ୍ଧାରରେ ବାଡି ବୁଲାଉଛି କମିସନରେଟ ପୋଲିସ । ତେବେ ପୁଲିସ ହାତରେ ଲାଗିଛି ପ୍ରଥମ ପୋଷ୍ଟମର୍ଟମ ରିପୋର୍ଟ । ମହିଳାଙ୍କ ତଂଟି ଚିପି ହତ୍ୟା ପରେ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ କାଟି ଲଗା କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ଅଧିକ ପ୍ରମାଣ ପାଇଁ ଆଉ ଥରେ ମୃତଦେହର ବ୍ୟବଚ୍ଛେଦ କରାଇଛି ଚନ୍ଦକା ଥାନା ପୋଲିସ । ଏମ୍ସରେ କରାଯାଇଛି ଦ୍ବିତୀୟ ଥର ଶବ ବ୍ୟବଚ୍ଛେଦ । ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ କରାଯାଇଥିଲା ପୋଷ୍ଟମର୍ଟମ ।
ମହିଳାଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରାଯାଇଛି। ତଣ୍ଟି ଚିପି ଦେବାରୁ ଶ୍ୱାସରୁଦ୍ଧ ହୋଇ ମହିଳାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ଦ୍ୱିତୀୟ ଥର କରାଯାଇଥିବା ଶବ ବ୍ୟବଚ୍ଚେଦ ରିପୋର୍ଟ ଏଯାଏ ପୁଲିସ ହାତରେ ଲାଗିନି । ମୃତ ମହିଳାଙ୍କ ମୃତ୍ୟୁ କେମିତି ହେଲା? କଟା ମୁଣ୍ଡ କୁଆଡେ ଗଲା? ଆଉ ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ପୁଲିସ ଛାନଭିନ କରୁଛି ।
ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ଏକ ପୋଷ୍ଟର ବନାଯାଇଛି । ମହିଳାଙ୍କ ପୋଷାକ ଆଧାରରେ ଏହି ପୋଷ୍ଟର ବନାଯାଇଛି । ପୋଷ୍ଟରକୁ ସର୍ବସାଧାରଣ ସ୍ଥାନରେ ପଲିସ ପକ୍ଷରୁ ଲଗାଯାଇଛି । ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ମୃତ ମହିଳାଙ୍କ ପୋଷ୍ଟର ଲଗାଇଛି ଚନ୍ଦକା ଥାନା ପୋଲିସ । ଯଦି କୌଣସି ବ୍ୟକ୍ତି ମହିଳାଙ୍କ ପରିଚୟ ଦିଅନ୍ତି ,ତାଙ୍କ ନାମ ଗୋପନ ରଖାଯିବ । ଏବଂ ତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି କମିସନରେଟ ପୋଲିସ ଘୋଷଣା କରିଛି ।
ପୋଷ୍ଟରରେ ମହିଳାଙ୍କ ସଂପର୍କରେ ତଥ୍ୟ ଦିଆଯାଇଛି । ମହିଳା ବୟସ ୩୦ରୁ ୩୫ ଓ ଡାହାଣ ହାତରେ ତ୍ରିଶୁଳ ଚିତା ରହିଛି । ମହିଳାଙ୍କ ଉଚ୍ଚତା ୫ ଫୁଟ ୩ ଇଞ୍ଚ ରହିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ମହିଳାଙ୍କ ସଂପର୍କରେ ପରିଚୟ ପ୍ରଦାନ ପାଇଁ ୨ଟି ନମ୍ବର ମଧ୍ୟ ଦିଆଯାଇଛି ।୮୨୮୦୩୩୮୩୨୩ ଓ ୮୨୮୦୩୩୮୨୯୬ ନମ୍ବର ଜାରି କରିଛି ପୋଲିସ ।ଗତ ୪ ତାରିଖ ସକାଳୁ ଭୁବନେଶ୍ବର ଭରତପୁର ଚନ୍ଦକା ରାସ୍ତାର ଦାଶପୁର ଅଂଚଳ ରାସ୍ତାକଡ଼ରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ପଡିଥିଲା । ମୃତଦେହ ଦେଖି ଚନ୍ଦକା ଥାନାକୁ ଖବର ଦେଇଥିଲେ ଲୋକେ । ଘଟଣାସ୍ଥଳରେ ପହଞ୍ଚିଥିଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ଼୍ । ପରେ ପରେ ଫୋରେନସିକ୍ ଟିମ୍ ଏବଂ ଡଗ୍ ସ୍କ୍ବାଡ଼୍ ମଧ୍ୟ ପହଞ୍ଚିଥିଲା । ମୃତଦେହ ପଡ଼ିଥିବା ସ୍ଥାନରେ ଥିବା ବୁଦା ନିକଟରୁ ଏକ ଧଳା ବ୍ୟାଗରେ କିଛି ଶାଢ଼ୀ ଓ ଡ୍ରେସ୍ ମଧ୍ୟ ମିଳିଥିଲା । ମୃତଦେହ ପାଖରୁ ମିଳିଥିଲା ରକ୍ତଲଗା ଛୁରି, ଗ୍ଲୋବ୍ସ୍ ।