ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟବୀମା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ସେବାୟତ ମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଘୋଷଣା କରିଛନ୍ତି ।ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରୁଥିବା ସମସ୍ତ ସେବାୟତଙ୍କୁ ୨ ଲକ୍ଷ ଟଙ୍କାର ମୌଳିକ ବୀମା ସୁବିଧା ଯୋଗାଇ ଦିଆଯିବ। ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ହୋଇଛି।
ଶ୍ରୀମନ୍ଦିର ସହ ସମ୍ପୃକ୍ତ ସେବାୟତଙ୍କୁ ନ୍ୟୁ ଇଣ୍ଡିଆ ଇନ୍ସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବ। ପ୍ରତି ସେବାୟତ ପରିବାରକୁ ଚିକିତ୍ସା କ୍ଷେତ୍ରରେ ୨ ଲକ୍ଷର ବୀମା ସୁରକ୍ଷା ମିଳିବ।ଅନ୍ୟପଟେ ଯେଉଁ ସେବାୟତମାନେ ଗରୁତର ଅସୁସ୍ଥ ହେବେ ସେମାନଙ୍କ କ୍ଷେତ୍ରରେ ଆଉ ୧ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଅତିରିକ୍ତ ସହାୟତା ଯୋଗାଇ ଦିଆଯିବ । ଏନେଇ ବୀମା କମ୍ପାନୀ ସହ ଆଲୋଚନା ହୋଇଥିବା କହିଛି ଶ୍ରୀମନ୍ଦିର ପ୍ରଶାସନ ।ସେହିପରି କ୍ୟାନ୍ସର ଓ କିଡ୍ନୀ ପ୍ରତିରୋପଣ କ୍ଷେତ୍ରରେ ୨୫ ଜଣ ଚିକିତ୍ସିତ ବ୍ୟକ୍ତିଙ୍କୁ ୩ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ବୀମା ସୁରକ୍ଷା ମିଳିବ। ଏହି ବୀମା ଯୋଜନା ଦ୍ୱାରା ୨୫ ଶହ ସେବକ ପରିବାର ଉପକୃତ ହେବେ।
କରୋନା ସଂକ୍ରମଣ ବଢୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କ ପାଇଁ ଜଗା ଦର୍ଶନ ବନ୍ଦ ରହିଛି । କେବେଳ ସେବାୟତଙ୍କ ଦ୍ୱାରା ମହାପ୍ରଭୁଙ୍କ ନୀତିକାନ୍ତି ଚାଲିଛି । ସେବାୟତ ଓ ଶ୍ରୀମନ୍ଦିର ସହିତ ଜଡିତ କିଛି ଲୋକ ପଜିଟିଭ ଚିହ୍ନଟ ପରେ ଶ୍ରୀମନ୍ଦିର ବନ୍ଦ ରଖାଯାଇଛି । ମେ’ ୧୫ ତାରିଖ ପର୍ୟ୍ୟନ୍ତ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେନି କି ଶ୍ରୀଜିଉଙ୍କ ଦର୍ଶନ କରିପାରିବେନି।