ଭୋକ: ନଗଡାରୁ କୋଇଡା…

ସେଦିନ ସୁଦାନ, ଆଜି ସୁନ୍ଦରଗଡ… ସେଦିନ ନଗଡା, ଆଜି କୋଇଡା । ସେଠି ବି ଥିଲା ଭୋକିଲା ପେଟ, ଏଠି ବି ଅଛି ଭୋକିଲା ପେଟ । ସେଦିନ ଭାତ ବିନା ଭିତରକୁ ପଶିଯାଇଥିଲା କଅଁଳ ଶିଶୁର କଅଁଳା ପେଟ । ଲୁଣ ଟିଙ୍କାରେ ଜରିଯାଉଥିଲା ଜୀବନର ବାକିତକ ବୟସ । ଆଳୁ ତ ମିଳିବା ଅସମ୍ଭବ, ପରିବା ଥିଲା ଏକ ଅପରିତ ନାଁ, ଡାଲିପାଣି କେବେ କେବେ ପିଉଥିଲା ପାଟି । ନହେଲେ ନିଇତି ଲୁଣ ଭାତ ଖାଇ ତୋରାଣୀ ପିଉଥିଲା ତଣ୍ଟି । ଭୋକର ଭଉଁରୀ, ଭୋକର ଭଗ୍ନାଂଶ, ଭୋକର ଭୂଗୋଳ । ଅନାହାର, ଅପପୁଷ୍ଟି ପାଇଁ ଆର୍ତ୍ତଚିତ୍କାର । ଅଳିଆଗଦାକୁ ଆଁ କରି କେବେ ମାଡି ଯାଇଛି ଭୋକ । ଆହାର ବିନା ପେଟ ଯେବେ ଆଁ କରେ ସେବେ ଜଣାପଡେନି ଭଲ-ମନ୍ଦ, ବାସି-ସଜ, ଗରମ-ଥଣ୍ଡା, ଲୁଣିଆ-ଅଲଣିଆ, ସୁଆଦିଆ-ଅସୁଆଦିଆ । ଖାଲି ଦରକାର ଖାଦ୍ୟ ଆଉ ଖାଦ୍ୟ…

ଦୀର୍ଘ ୫ ବର୍ଷ ପରେ ଓଡିଶାକୁ ଦୋହଲାଇ ଦେଇଛି ଭୋକ ଦୁଃଖର ଦାରୁଣ ଦୃଶ୍ୟ । ଦୀର୍ଘ ୬୦ ମାସ ପରେ କୋଇଡାରେ ରିପିଟ ହୋଇଛି ନଗଡା ଭୋକ । ପୁଣି ଓଡିଶା ଆଖିରେ ନାଚିଛି ଭୋକର ଲଙ୍ଗଳା ଚିତ୍ର, କୁପୋଷଣର କଳା କାହାଣୀ, ଆଉ ଦେଖି ହେଉନଥିବା ଗୋଟେ କୁନି ପିଲାର ଅଇଁଠା ପତ୍ର ଚଟା ଅଭାବନୀୟ ଚିତ୍ର । ବିକାଶର ବୃକ୍ଷ ଯେଉଁ ଅଞ୍ଚଳରେ ସରକାର ଲଗାଉଛନ୍ତି ସେଠାରେ ଏ ଭୋକିଲା ପେଟ ସରକାରୀ ବ୍ୟବସ୍ଥାକୁ, ସରକାରଙ୍କ ଶାସନକୁ ପ୍ରଶ୍ନ କରୁଛି । ହେ ସରକାର ! ଆମେ ଭୋକିଲା ଆଜି କାହା ପାଇଁ…?

୨୦୧୬ରେ ଯାଜପୁର ନଗଡାର ନଗ୍ନ ଚିତ୍ର ଦେଖିଥିଲା ସାରା ଦେଶ । ଭୋକର ଚିତ୍ର କେବେ ଭୟଙ୍କର ହୋଇପାରେ ତାହା ଦେଖିଥିଲା ଭାରତ । ଆଉ ନଗଡା ପାଇଁ ସମସ୍ତଙ୍କ ନିଦ ହଜିଥିଲା । ଭୋକର ଭୂମିରେ ସରକାରଙ୍କ ବିକାଶ ପହଞ୍ଚି ପାରି ନଥିଲା । ଅନାହାର, ଅପପୁଷ୍ଟିର ଶିକାର ହୋଇ ୨୦୧୬ରେ ନଗଡାରେ ଗଡିଥିଲା ୧୯ ଶିଶୁଙ୍କ ମୁଣ୍ଡ । କାହା କାହା ଘର ଶିଶୁ ଶୂନ୍ୟ ହୋଇଥିଲା ତ କାହା ଘରେ ୧୨ ବର୍ଷ ପରେ ହୋଇଥିିବା ଆଶା ଅସମୟରେ ଝରିପଡିଥିଲା । ଶୁଖିଲା ଭାତ, ଲୁଣ ଟିଙ୍କା ଦେଇ ପିଲାର ପେଟ ପୁରାଉଥିଲା ନଗଡା ମାଆ । ଖାଲି ଭାତ ଖାଇ କୁପୋଷଣର ଶିକାର ହେଉଥିବା ଶିଶୁ ଅକାଳରେ ଆଖିବୁଜୁଥିଲେ । ୫ ବର୍ଷ ତଳେ ଓଡିଶାର ଏ ଚିତ୍ର ଦେଖିଥିଲା ସାରା ବିଶ୍ୱ । ଆଉ ୫ ବର୍ଷ ପରେ ସେମିତି ଏକ ଚିତ୍ର ନଗଡା ନୁହେଁ କୁବେରଗଡ କୋଇଡାରୁ ଆସିଛି । ଯାହା ଭୋକିଲା ଶିଶୁର କରୁଣ କାହାଣୀ ବଖାଣିଛି ।

ସୁନ୍ଦରଗଡ କୋଇଡା ଅଞ୍ଚଳରେ ଏକ ଶିଶୁ ବାହାଘର ଭୋଜିର ଅଇଁଠା ପତ୍ର ଚାଟୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଡାଡୁଗୋଠ ଗାଁର ରାବଣ ମୁଣ୍ଡାଙ୍କ ୩ଟି ପିଲା । ସ୍ତ୍ରୀ ଆରପାରିକୁ ଚାଲିଯାଇଥିବା ବେଳେ ୩ ଶିଶୁଙ୍କ ଦାୟିତ୍ୱ ଏବେ ଗରିବ ଖଟିଖିଆ ବାପା ମୁଣ୍ଡରେ । ସ୍ୱୀଗଲା ପରେ ଅସହାୟ ବାପା କଣ କରିବ କେମିତି ପିଲା ତିନିଟି ମୁହଁରେ ଦାନା ଗଣ୍ଡେ ଦେବ । ଦୈନିକ ମୁଲ ଲାଗିବାକୁ ଯାଉଥିବା ବେଳେ ବେସାହାରା ପିଲା ଏକା ଏକା ରୁହନ୍ତି । ଅବହେଳା ପାଇଁ କିଏ କେଉଁଠି ଯାଏ କଣାନାହିଁ । କେବେ ଖାଇବାକୁ ପାଆନ୍ତି କେବେ ନାହିଁ । ପରଘରେ ମାଗି ଯାଚି ଖାଉଥିବା ରାବଣଙ୍କ ପିଲା ଖାଦ୍ୟ ଅଭାବରୁ ସମସ୍ତେ ଅପପୁଷ୍ଟିର ଶିକାର । ତେବେ ଦିନେ ରାବଣ କାମକୁ ଯାଇଥିବା ବେଳେ ତାଙ୍କ ସାନପୁଅ ଗାଁର ଏକ ବିବାହ ଭୋଜିରେ ଫିଙ୍ଗା ଯାଇଥିବା ଅଳିଆପତ୍ର ଚାଟୁଛି । ଭୋକ ବିକଳରେ ଅଇଁଠା ଚାଟୁଥିବା ଶିଶୁ କେମିତି ବା ଜାଣିବ କେଉଁଟା ଉଚିତ କେଉଁଟା ଉଚ୍ଚିଷ୍ଟ । ତେବେ ଭୋକର ଭଉଁରୀରେ ପଡି ପତ୍ର ଚାଟୁଥିବା ଏ ପିଲାର ଭିଡିଓ ଏବେ ସାରା ଓଡିଶାରେ ଚହଳ ସୃଷ୍ଟି କରିଛି । ଆଉ ସରକାରୀ ଯୋଜନା ଉପରେ ପ୍ରଶ୍ନଚିହ୍ନ ଲଗାଇଛି ।

ସେପଟେ ମନେପକାନ୍ତୁ ଆଉ ଏକ ଚିତ୍ର । ସୁଦୂର ସୁଦାନର ଅତୀତର କାହାଣୀ । ୧୯୯୩ ମସିହାରେ ଦୁର୍ଭିକ୍ଷ ବେଳେ ଅନ୍ନଛତ୍ରରେ ପହଞ୍ଚିବା ଲାଗି ଜଣେ କଙ୍କାଳସାର ଭୋକିଲା କୁନିଝିଅ ଯାଉ ଯାଉ ତଳେ ପଡିଯାଉଛି । ଆଉ ତାକୁ ଖାଇବାକୁ ଭୋକିଲା ଶାଗୁଣା ତା ପଛେ ପଛେ ଆସୁଛି । ୨୮ ବର୍ଷ ତଳେ ସୁଦାନର ଏ ସାଙ୍ଘାତିକ, ଲୋକଟାଙ୍କୁରା, ଛାତିଥରା ଚିତ୍ର ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା । ଦି ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏ ଫଟୋର ଟାଇଟର ଥିଲା ‘ଦି ଭଲଚର ଆଣ୍ଡ ଦି ଲିଟିଲ ଗାର୍ଲ’ । ସେଦିନର ସୁଦାନର ଏ ଚିତ୍ର ସହ ଆଜିର ସୁନ୍ଦରଗଡର ଏ ଛବି ସହ ଅନେକ ସାମଞ୍ଜସ୍ୟ ଅଛି । ତେବେ ୨୮ ବର୍ଷ ପରେ ପୁଣି ସୁଦାନ ଭଳି ଦୃଶ୍ୟ ସମସ୍ତଙ୍କୁ ଦୋହଲାଇ ଦେଉଥିବା ବେଳେ ବିକାଶର ନାରା ଦେଉଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏଇଟା କଣ ବିକାଶ ଚିତ୍ର ଭିତରୁ ଗୋଟେ ? ଅଇଁଠା ପତ୍ର ଚାଟୁଥିବା ସେ କଅଁଳା ପିଲାର ଭୋକ ଏ ଭୋକିଲା ପ୍ରଶ୍ନ ପଚାରୁଛି… ଉତ୍ତର ଦେବେ କି ସରକାର … ?

Comments (0)
Add Comment