ଟ୍ରଲି ସାଜିଲା କୋକେଇ…

ଚାଲ ମାଆ ମୁଁ ତତେ ମଶାଣୀ ନେଇଯିବି । ଶ୍ମଶାନ ନେଇ ତୋର ଶେଷକୃତ୍ୟୁ କରିବି । ନଛୁଉଁ ସମାଜ, ନଛୁଉଁ ମଣିଷ, ନଛୁଅଁନ୍ତୁ ବି ସାହିଭାଇ । ତ ପୁଅ ଅଛି ତୁ ଚିନ୍ତା କରନା । ଆ, ମା ଆ… ଏଇ ଟ୍ରଲିରେ ଶୁଆଇ ତତେ ଶ୍ମଶାନ ନେଇଯିବି । ମାଆର ମୃତ୍ୟୁ ପରେ ଯେତେବେଳେ କରୋନା ସନ୍ଦେହ କରି କେହି ଛୁଇଁଲେନି ସେତେବେଳେ ମଲାମାଆର ଶବ ସହ ଏମିତି କଥା ହେଉଛି ପୁଅ…

ଶବ ଛୁଇଁଲାନି ସନ୍ଦେହ, ଶ୍ମଶାନ ଗଲେନି ସାହିଭାଇ । କରୋନା ସନ୍ଦେହରେ ପଡୋଶୀ ଆସିଲେନି କି ଶବାଧାରରେ କାନ୍ଧ ଦେଲେନି । କରୋନା ପାଇଁ ନା ଛ ଖଣ୍ଡ କାଠ ମିଳିଲା ନା କୋକେଇରେ ଶବ ଉଠିଲା । ଚାରିକାନ୍ଧ ବଦଳରେ ତିନି ଚକିଆ ଟ୍ରଲିରେ ମଶାଣୀ ମୁହାଁ ହେଲା ମୃତଦେହ । ଏମିତି ଏକ ହୃଦୟବିଦାରକ ଘଟଣା ଘଟିଛି ସମ୍ବଲପୁର ଚିପିଲିମା ଅଞ୍ଚଳରେ । ଆଉ ସମ୍ବଲପୁରର ଏ ସନ୍ଦେହୀ ଖବର ପୁଣି ବର୍ଷେ ତଳର ସେ ବାସନ୍ଦ, ଛୁଆଁଅଛୁଆଁ କାହାଣୀର ପୁନଃରାବୃତି କରିଛି ।

ତେବେ ସମ୍ବଲପୁର ଚିପିଲିମା ଏନଏଫ କଲୋନୀ ନିକଟରେ ରୁହନ୍ତି ମୃତା ରୁଚି ମହାନ୍ତି । ଦୀର୍ଘ ଦିନ ଧରି ଜ୍ୱରରେ ପୀଡିତ ଥିଲେ ରୁଚି । ତାଙ୍କ ସହ ତାଙ୍କ ପୁଅ ବି ଜ୍ୱର ସହ ଅସୁସ୍ଥ ଅନୁଭବ କରୁଥିଲେ । ହେଲେ ଅବସ୍ଥା ଗୁରୁତର ହେବା ପରେ ଶେଷରେ ସେ ଆଖିବୁଜିଛନ୍ତି । ତେବେ ସାନପୁଅ ଗୋବିନ୍ଦ ଶବସଂସ୍କାର ପାଇଁ ଗାଁ ଲୋକ, ସାହି ପଡୋଶୀଙ୍କ ସହଯୋଗ ଲୋଡିଥିଲେ ବି କେହି ଆସିନଥିଲେ । କରୋନା ହୋଇଛି କି ନା ଅସ୍ପଷ୍ଟ ଥିବାବେଳେ ସଂକ୍ରମଣ ସନ୍ଦେହ ପାଇଁ କେହି ବି ପାଖ ମାଡି ନଥିଲେ । ଶେଷରେ ବାଧ୍ୟହୋଇ ଏକ ଟ୍ରଲିରେ ପୁଅ ନିଜ ମାଆକୁ ମଶାଣୀ ନେଇ ଯାଉଥିବାର ଦେଖି କିଛି ସ୍ୱେଚ୍ଛାସେବୀ ତାଙ୍କୁ ସହଯୋଗ କରିଥିଲେ ।
ସତରେ ପ୍ରଥମ ଲହରରେ ଏମିତି ଅନେକ ଚିତ୍ର ଦେଶବାସୀଙ୍କୁ ବିଚଳିତ କରିଥିବା ବେଳେ ମଣିଷର ମଣିଷ ପଣିଆ ମଶାଣୀରେ ଜଳିଯାଉଥିବା ମନେ ହେଉଥିଲା । ଆଉ ଏବେ ୨ୟ ଲହରରେ ପୁଣି ସେହି ସବୁ ସମାନ ଚିତ୍ରର ରିପିଟ୍ ହେଉଛି । ଯେଉଁଠି ମଣିଷଟିଏ ମଣିଷକୁ ଘୃଣା କରୁଛି, ସନ୍ଦେହ କରୁଛି, କରୋନା ହୋଇଯିବା ଡରରେ ପାଖ ମାଡୁନି । ଯଦି ସମସ୍ତେ ଏମିତି ହେବେ ତେବେ ନିଜ ଶବ ଉଠାଇବାକୁ କେହି ନଥିବେ । ରାସ୍ତାଘାଟ, ବିଲବାଡି, ଚାଲିଆଡେ ପଡି ରହିଥିବ ଶବ, ମୁର୍ଦ୍ଦାର…

କରୋନାର ୨ୟ ଦଫା ଦୁଃଖ ପରେ ଦୁଃଖ ଦେଇଚାଲିଛି । ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର ହେଉଥିବା ବେଳେ ରାଜ୍ୟରେ ୩୦୦୦ ଛୁଇଁଲାଣି ଦୈନିକ କରୋନା ଆକ୍ରନ୍ତଙ୍କ ସଂଖ୍ୟା । ଦିନକୁ ଦିନ ପରିସ୍ଥିତି ଗମ୍ଭୀର ହେଉଥିବା ବେଳେ ପଶ୍ଚିମବଙ୍ଗର ଟ୍ରିପଲ ମ୍ୟୁଟାଣ୍ଟଷ୍ଟ୍ରେନ (ବି.୧.୬୧୮) ବଡ ବିପତ୍ତି ଆଣୁଛି । ଆଉ ଏ ଘଡିସନ୍ଧି ମୁହୂର୍ତ୍ତରେ ଶ୍ରମିକ କେଉଁଠି ଶବ ପାଲଟୁଛି, କେଉଁଠି ଅକ୍ସିଜେନ ଅଭାବ ପାଇଁ ଅଣନିଶ୍ୱାସୀ ହୋଇପଡିଛି ଭାରତ । ସବୁଠି କରୋନାର ହାହାକାର ପଡିଥିବା ବେଳେ ବରଗଡର ଏକ ଛାତିଥରା କାହାଣୀ ସମସ୍ତଙ୍କୁ ସ୍ତବ୍ଧ କରିଛି । ପଦ୍ମପୁର ଅଞ୍ଚଳରେ ବାପାପୁଅ ମାତ୍ର ୫ ଦିନ ଭିତରେ ଆଗପଛ ହୋଇ ଆଖିବୁଜିଛନ୍ତି । କରୋନାରେ ଦୁହିଁଙ୍କ ମୃତ୍ୟୁ ହୋଇଛି । ସେତିକିରେ ସରିନି ସେମାନଙ୍କ ଦୁଃଖ ମାଆ-ଝିଅ ବି ମେଡିକାଲରେ କରୋନା ସହ ଲଢେଇ କରୁଛନ୍ତି । ସତରେ ସଂକ୍ରମଣ ଭିତରେ ଏମିତି ଗୋଟେ ଗୋଟେ କାହାଣୀ ଆଖିରେ ଲୁହ ଭରି ଦେଉଛି ।

Comments (0)
Add Comment