ଜଳୁଛି ସାରା ଓଡ଼ିଶା

ଏପ୍ରିଲରୁ ଜଳୁଛି ସାରା ଓଡ଼ିଶା । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା । ସକାଳ ୧୧ଟା ପରେ ଘରୁ ବାହାରିବା ଏକ ପ୍ରକାର କଷ୍ଟକର ହୋଇପଡ଼ୁଛି । ଚଳିତ ମାସ ଆରମ୍ଭରୁ ଏଭଳି ଖରା ଜାରି ରହିଥିବା ବେଳେ ସୋନପୁର ଜିଲ୍ଲାରେ ପ୍ରବଳ ଖରା ଅନୁଭୁତ ହେଉଛି । ଗତକାଲି ୪୪ଦଶମିକ ୨ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସୋନପୁର ଦେଶରେ ସବୁଠାରୁ ଉତପ୍ତ ସହର ପାଲଟିଲା । ଆଗକୁ ତାତି ଆହୁରି ବଢିବା ନେଇ ସତର୍କ କରାଯାଇଛି ପାଣିପାଗ ବିଭାଗ ।

ସେହିପରି ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ଗ୍ରୀଷ୍ମର ପ୍ରକୋପ ଜାରି ରହିଛି । ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ଝାରସୁଗୁଡ଼ା ବାସିନ୍ଦା । ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼, ବ୍ରଜରାଜନଗର, ବନ୍ଧବାହାଲ ଆଦି ଖଣି ସଲଗ୍ନ ଅଂଚଳରେ ଅଧିକ ଗରମ ଅନୁଭୁତ ହେଉଛି । ଏହା ସହ ଝାଂଜି ପବନ ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି । ଅନ୍ୟପଟେ ଅଘୋଷିତ ବିଦ୍ୟୁତ୍ କାଟ ଏବଂ ଲୋ-ଭୋଲଟେଜ ଲୋକଙ୍କ କଷ୍ଟକୁ ଦ୍ୱିଗୁଣିତ କରିଛି । ଅନ୍ୟପଟେ ତାତି ବଢିବା ସହିତ ସହରର ରାସ୍ତାଘାଟ ଶୁନ୍ଶୁନ୍ ହୋଇପଡ଼ୁଛି । ଅସହ୍ୟ ଗୁଳୁଗୁଳି ଯୋଗୁଁ ଲୋକେ ଘରେ ରହିବା ମଧ୍ୟ କଷ୍ଟକର ହୋଇପଡ଼ୁଛି ।

Comments (0)
Add Comment