ପ୍ରବଳ ବର୍ଷାରେ ଉବୁଟୁବୁ ମାୟାନଗରୀ। ଲଗାଣ ବର୍ଷା ଯୋଗୁଁ ମୁମ୍ବାଇରେ ସ୍ଥିତି ସାଂଘାତିକ ହୋଇପଡିଛି । ଅନେକ ସ୍ଥାନରେ ଘର ଭୁଶୁଡିପଡିଛି । ମୁମ୍ୱାଇର ଚେମ୍ୱୁରରେ କାନ୍ଥ ପଡ଼ି ୧୭ଜଣଙ୍କର ମୃତ୍ୟୁ ହୋଇଛି । କାନ୍ଥ ତଳେ କିଛି ଲୋକ ଫସିରହିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାମ ଜାରି ରହିଛି ।
ସେହିପରି ରାସ୍ତା ଘାଟ ଏବଂ ଟ୍ରେନ ଟ୍ରାକ୍ ମଧ୍ୟ ପାଣିରେ ବୁଡ଼ି ରହିଥିବା ଦେଖିବାକୁ ମିଳିଛି । ବର୍ଷା ପାଇଁ ଭାରତୀୟ ରେଳବାଇର ସେବା ଉପରେ ମଧ୍ୟ ଅନେକ ପ୍ରଭାବ ପକାଇଛି। ମୁମ୍ବାଇର ରେଳ ଟ୍ରାକ୍ ସମ୍ପୂର୍ଣ୍ଣ ପାଣିରେ ବୁଡ଼ିଯାଇଛି। ଏପରିକି ତଳିଆ ଅଂଚଳରେ ପାଣି ଜମି ରହିବା ଯୋଗୁଁ ଲୋକେ ଜଳବନ୍ଦି ଜୀବନ ବିତାଉଛନ୍ତି । ଏବେ ବି ବର୍ଷା ଜାରି ରହିଥିବାରୁ ଉଦ୍ଧାର କାର୍ୟ୍ୟରେ ସମସ୍ୟା ସୃଷ୍ଟି ହେଉଛି । ସେପଟେ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡରୁ ୨ଲକ୍ଷ ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।