ଅମ୍ରିତଙ୍କ ପାଇଁ ଆମେ ଅଛୁ..

ଅମ୍ରିତ ପ୍ରଧାନ । ବୟସ ୨୪ ବର୍ଷ । ହୁଏତ ଏହି ନାଁଟି ଗତକିଛିଦିନ ହେବ କେହି ଜାଣିନଥିଲେ, କିନ୍ତୁ ଏବେ ଘରେ ଘରେ ପରିଚିତ ଏହି ନାଁ । ବ୍ରହ୍ମପୁରର ଅମ୍ରିତ ପ୍ରଧାନ ଏବେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଆରୋଗ୍ୟ କାମନା ପାଇଁ ଏବେ ସବୁଆଡେ ପ୍ରାର୍ଥନା । ଆଉ ତାଙ୍କ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ସହାୟତା କରୁଛନ୍ତି ଶୁଭେଚ୍ଚୁ । ଖାଲି ସହାୟତା ରାଶି ନୁହେଁ, କରୋନାରେ ଗୁରୁତର ହୋଇ ମୃତ୍ୟୁ ସହ ଲଢ଼ୁଥିବା ଅମ୍ରିତର ସୁସ୍ଥତା କାମନା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରି ଚାଲିଛନ୍ତି ଅଗଣିତ ଶୁଭେଚ୍ଛୁ।

ଅମ୍ରିତ ନିଶ୍ଚିତ ଭଲ ହୋଇ ଓଡିଶା ଫେରିବେ । ବନ୍ଧୁବାନ୍ଧବଙ୍କ ଠାରୁ ଆରମ୍ଭ କରି ସାଂଗସାଥୀ ସମସ୍ତେ ଅମ୍ରିତଙ୍କ ସୁସ୍ଥତା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିବା ବେଳେ ଅମ୍ରିତଙ୍କ ଚିକିତ୍ସା ପାଇଁ ଗତ ୩୬ ଘଣ୍ଟା ଭିତରେ ଆଉ ୧୫୮୦ଜଣ ଅପରିଚିତ ଲୋକ ଅମ୍ରିତର ଚିକିତ୍ସା ପାଇଁ ପ୍ରାୟ ୧୬ଲକ୍ଷ ଟଙ୍କା ସହାୟତା ରାଶି ପଠାଇଛନ୍ତି । ଏହାକୁ ମିଶାଇ ଏ ପର୍ୟ୍ୟନ୍ତ ମିଲାପ ଫଣ୍ଡ ରେଜର ଜରିଆରେ ୭୯୭୩ଜଣ ୮୬,୫୭,୫୨୫ ଟଙ୍କା ଦାନ କରି ସାରିଲେଣି। ଅମ୍ରିତଙ୍କ ପାଇଁ ଅର୍ଥ ସହ ଆଶିଷ ଭିକ୍ଷା କରି ଲୋକେ ସେମାନଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ ବି କରୁଛନ୍ତି ।
ବ୍ରହ୍ମପୁରର ଅମ୍ରିତ ପ୍ରଧାନଙ୍କ ବାପା, ମାଆ ପ୍ରଥମେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହା ପରେ ତାଙ୍କୁ ଡାକ୍ତର ପାଖକୁ ନେବା ଆଣିବା କରନ୍ତି ଅମ୍ରିତ । ହେଲେ ବାପା, ମାଆ କରୋନାରୁ ସୁସ୍ଥ ହେବା ପରେ କୋଭିଡରେ ଆକ୍ରାନ୍ତ ହୋଇଥିଲେ ଅମ୍ରିତ । ହେଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲେ । ଅମ୍ରିତଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଯାଇଥିଲା ।ଏହା ପରେ ଅମ୍ରିତଙ୍କୁ ଏୟାର୍ ଆମ୍ବୁଲାନ୍ସରେ ଭୁବନେଶ୍ବର ଏମ୍ସରୁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ପରେ ସେଠାରେ ତାଙ୍କର ଏକ୍‌ମୋ ଚିକିତ୍ସା ଚାଲିଛି। ଅମ୍ରିତଙ୍କ ଚିକିତ୍ସା ପାଇଁ ପ୍ରାୟ ଦେଢ଼ କୋଟି ଟଙ୍କାର ଆବଶ୍ୟକତା ଥିବା ବେଳେ ଏତେ ଅର୍ଥ କେମିତି ଯୋଗାଡ଼ ହେବ, ପ୍ରଥମେ ପରିବାରଲୋକଙ୍କୁ ଚିନ୍ତା ଘାରିଥିଲା। ତେବେ ତାଙ୍କ ଭଉଣୀ ମନୀଷା ଓ ସାଙ୍ଗସାଥୀ ମିଶି ସହାୟତା କରିବାକୁ ଆଗେଇ ଆସିଥିଲେ। ସେମାନେ ମିଲାପ ଫଣ୍ଡ ରେଜର ସହାୟତାରେ ସାମାଜିକ ଗଣମାଧ୍ୟମରେ ସହାୟତା ପାଇଁ ଲୋକଙ୍କୁ ନିବେଦନ କରିଥିଲେ। ସୋସିଆଲ ମିଡିଆ ମାଧ୍ୟମରେ ଅମ୍ରିତଙ୍କ ପାଇଁ ପାଣ୍ଠି ସଂଗ୍ରହ କରାଯାଉଛି । ଏହା ପରେ ସାରା ଦେଶରୁ ଅମ୍ରିତଙ୍କ ସହାୟତା ପାଇଁ ଛୁଟିଥିଲା ସହାୟତା ।

ଡାକ୍ତରମା‌ନେ ଅମ୍ରିତଙ୍କର ଏବେ ଟ୍ରାକୋଷ୍ଟୋମି ଅସ୍ତ୍ରୋପଚାର କରିଛନ୍ତି। ଗଳା ନିକଟରେ ଏକ କଣା କରାଯାଇ ଏକ ପାଇପ ମାଧ୍ୟମରେ ଫୁସ୍‌ଫୁସ୍‌କୁ ଅକ୍ସିଜେନ ସପ୍ଲାଇ କରାଯାଉଛି। ଡାକ୍ତର କହିଛନ୍ତି ଯେ ବର୍ତ୍ତମାନ ଅମ୍ରିତଙ୍କ ସ୍ବାସ୍ଥ୍ୟ ସ୍ଥିର ଥିଲେ ମଧ୍ୟ ସେ ଏବେ ବି ଗୁରୁତର ଅଛନ୍ତି ଏବଂ ସମ୍ପୂର୍ଣ୍ଣ ଭାବରେ ଏକ୍‌ମୋ ମେସିନ୍‌ ଉପରେ ନିର୍ଭରଶୀଳ ଅଛନ୍ତି। ତ‌ାଙ୍କର ଫୁସ୍‌ଫୁସ୍‌ ଅଧିକ ସଂକ୍ରମିତ ହୋଇଯାଇଥିବାରୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ନେଇ ଏବେ କିଛି ଆକଳନ କରିହେବ ନାହିଁ। ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇ ଦୁଇ ସପ୍ତାହ ପ‌ାଇଁ ନିରୀକ୍ଷଣରେ ରଖାଯିବ ବୋଲି ଡାକୁଛନ୍ତି । କିଛି ଦିନ ତଳେ ଅପରିଚିତ ଥିବା ଅମ୍ରିତ ପାଇଁ ଏବେ ସବୁଆଡେ ପ୍ରାର୍ଥନା । ତେଣୁ ବିଶ୍ୱାସ ରହିଛି, ଖୁବ ଶୀଘ୍ର ସୁସ୍ଥ ହୋଇ ଫେରିବେ ।

Comments (0)
Add Comment