ଆଜି କଳାହାଣ୍ଡି ଗସ୍ତ କରିବେ ନବୀନ

ଆଜି ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିବାକୁ କଳାହାଣ୍ଡି ଗସ୍ତ କରବେ ନବୀନ । ଭବାନୀପାଟଣାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ।ଗରିବଙ୍କ ଆଶା ବାଡ଼ି ସାଜିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ବିଭିନ୍ନ ଜଟିଳ ରୋଗରେ ପୀଡ଼ିତ ହିତାଧିକାରୀ ଏହି କାର୍ଡ଼ ଜରିଆରେ ଉନ୍ନତମାନର ଚିକିତ୍ସା ସୁବିଧା ପାଉଛନ୍ତି । ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିବା ସହ ମହିଳାଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିବ ବିଜେଡି । ଏହି ସମାବେଶକୁ ସଫଳ କରିବା ପାଇଁ କଳାହାଣ୍ଡିରେ ୧୩ ମନ୍ତ୍ରୀ ଡେରା ପକାଇଥିବା ଜଣାପଡିଛି ।
ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଗତ କିଛି ଦିନ ହେଲା କଳାହାଣ୍ଡିରେ ସରକାରଙ୍କ ବିରୋଧରେ ବିରୋଧୀମାନେ ଜୋରଦାର ଆନ୍ଦୋଳନ ଚଳାଇଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଅଡି ରହିଛନ୍ତି ବିରୋଧୀ । ମନ୍ତ୍ରୀଙ୍କୁ ବହିଷ୍କାର କରୁନଥିବାରୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ଟାର୍ଗେଟକୁ ଆସିଛନ୍ତି । ତଥାପି ଏସବୁ ବିବାଦ ଭିତରେ ରାଜ୍ୟ ସରକାର ତାଙ୍କର କାର୍ୟ୍ୟକ୍ରମ ଜାରି ରଖିଛନ୍ତି । ବାରିପଦା, କୁଚିଣ୍ଡା ପରେ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିବାକୁ ଆଜି କଳାହାଣ୍ଡି ଗସ୍ତ କରିବେ ନବୀନ ।
ମୁଖ୍ୟମନ୍ତ୍ରୀ ସକାଳେ ଭୁବନେଶ୍ବରଠାରୁ ବିମାନ ଯୋଗେ ଉତକେଲା ଏୟାରଷ୍ଟ୍ରିପ୍‌ରେ ଅବତରଣ କରିବେ । ସେଠାରୁ ହେଲିକପ୍ଟର ଯୋଗେ ଭବାନୀପାଟଣା ଓୟୁଏଟି ପରିସରକୁ ଯିବେ। ସକାଳ ୧୧ଟାରେ ଓୟୁଏଟି ଅଡିଟୋରିୟମରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ କରିବେ। ଏହି କାର୍ୟ୍ୟକ୍ରମରେ ୨୫୦ ଜଣ ମହିଳା ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି

Comments (0)
Add Comment