କରୋନା: କମିବ କ’ଣ ବଢିଚାଲିଛି

ରାଜ୍ୟରେ କରୋନା ସଂକ୍ରମଣ ବିସ୍ଫୋରକ ସ୍ଥିତି ନେଇଛି । କିଛି ଦିନର ସ୍ଥିରତା ପରେ ପୁଣି ଲମ୍ବା ଡିଆଁ ମାରିଛି ସଂକ୍ରମଣ । ଗତ ୬ ଦିନ ଧରି ସଂକ୍ରମଣ ୬ ହଜାରରୁ ୭ ହଜାର ମଧ୍ୟରେ ରହୁଥିବା ବେଳେ ଗତ ୨୪ ଘଂଟାରେ ରାଜ୍ୟରେ ୮୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ନମୂନା ପରୀକ୍ଷା ବଢିବା ସହ ସଂକ୍ରମଣ ସଂଖ୍ୟା ବଢିଛି । ସେହିପରି ଦିନକରେ ଯାଇଛି ୧୦ ଜଣଙ୍କ ଜୀବନ । ତେବେ ସବୁଠୁ ଚିନ୍ତା ବଢାଇଛି ଖୋର୍ଦ୍ଧା । ଖୋର୍ଦ୍ଧାରୁ ସବାର୍ଧିକ ୧୮ ଶହ ୪୦ ଆକ୍ରାନ୍ତ ରହିଛନ୍ତି । ଯାହା ପ୍ରଶାସନର ନିଦ ହଜାଇଦେଇଛି ।

ଦିନକୁ ଦିନ ଭୟଙ୍କର ହେଉଛି କରୋନା ସଂକ୍ରମଣ । ଟେଷ୍ଟିଂ ବଢିଲା, ସଂକ୍ରମଣ ବଢିଲା । ଗତ ୨୪ ଘଂଟାରେ ୪୨ ହଜାର ୪୦୧ ନମୂନା ପରୀକ୍ଷା ହୋଇଥିବା ବେଳେ ୮୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲଗାତର ୬ ଦିନ ଧରି ସଂକ୍ରମଣ ୬ ହଜାର ଉପରେ ରହିଥିବା ବେଳେ ୭ ହଜାର ଟପିନଥିଲା । ଏହାକୁ ଫ୍ଲାଟୋ ଷ୍ଟେଜ କୁହାଯାଉଥିଲା । ଅନୁମାନ କରାଯାଉଥିଲା ଏହା ପରେ ସଂକ୍ରମଣ କମିପାରେ । କିନ୍ତୁ ଟେଷ୍ଟିଂ ବଢିବା ସହ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିଛି ।
ତେବେ ଖୋର୍ଦ୍ଧାରେ ସ୍ଥିତି ଗମ୍ଭୀର ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧୮୪୦ ଆକ୍ରାନ୍ତ ରହିଛନ୍ତି । ନାଇଟ କର୍ଫ୍ୟୁ,ସପ୍ତାହାନ୍ତ ସଟଡାଉନ, କଟକଣା ପରେ ବି ଆକ୍ରାନ୍ତଙ୍କ ସଂଖ୍ୟା କମୁନି । ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତା ପଛକୁ ସୁନ୍ଦରଗଡ଼ରୁ ୯୩୩, କଟକରୁ ୪୯୬, ଝାରସୁଗୁଡାରୁ ୪୩୩, ନବରଙ୍ଗପୁରରୁ ୩୮୮, ବଲାଙ୍ଗୀରରୁ ୩୫୮,ସମ୍ବଲପୁରରୁ ୩୦୭ ଆକ୍ରାନ୍ତ ଚିହ୍ନଟ ହୋଇଛି । ୩୦ ଜିଲ୍ଲାରୁ ୧୯ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ତିନି ଅଙ୍କ ଟପିଛି ।

ସେହିପରି ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଛି । ୨୪ ଘଂଟାରେ କରୋନାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ପୁରୀରୁ ୩, ରାୟଗଡାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବୌଦ୍ଧ, ଗଞ୍ଜାମ, ଖୋର୍ଦ୍ଧା, ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Comments (0)
Add Comment