ଘରେ ତାଲା ପକାଇ ନିଆଁ ଲଗାଇଦେଲେ ଦୃବୁର୍ତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ସହରାଞ୍ଚଳରେ । ଅଗ୍ନିକାଣ୍ଡରେ ୫ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ । ପୂର୍ବ ଶତ୍ରୁତାରୁ ଆକ୍ରୋଶମୂଳକ ଭାବେ ଦୃବୁର୍ତ୍ତ ମାନେ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି ।
ଭଦ୍ରକ ସହରାଞ୍ଚଳ ଅନ୍ତର୍ଗତ ଗବସାହି ଅଞ୍ଚଳର ସୁଦର୍ଶନ ଦାସ ନିଜ ୬ ଜଣ ପରିବାର ସହ ଘର ଭିତରେ ଶୋଇଥିଲେ । ବୁଧବାର ବିଳମ୍ବିତ ରାତିରେ ହଠାତ୍ ଘର ଗୁଡିକ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା । ସୁଦର୍ଶନଙ୍କ ପରିବାର ଲୋକ ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ଜୀବନ ବିକଳରେ ବାହାରକୁ ଦୌଡ଼ିବାକୁ ଲାଗିଥିଲେ । ଘର କବାଟ ବାହାର ପଟରୁ ତାଲା ଦିଆଯାଇଥିବାରୁ, ଆଉ ବାହାରି ନପାରି ପଛପଟ ହୋଇ ଝରକା ଭାଙ୍ଗି ପରିବାରଲୋକ ବାହାରକୁ ସୁରକ୍ଷିତ ଅବସ୍ଥାରେ ବାହାରିଥିଲେ ।ଜୀବନ ସିନା ବଞ୍ଚିଗଲା, ଜୀବନ ଯାକର ପୁଞ୍ଜି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଆଉ ଆସବାବପତ୍ର ଜଳି ପୋଡି ଛାରଖାର ହୋଇଯାଇଛି । ପୂର୍ବଶତ୍ରୁତା ରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ସୁଦର୍ଶନଙ୍କ ପରିବାର ଲୋକ ।