ମାଟ୍ରିକ ନମ୍ବର ଆଧାରରେ ଯୁକ୍ତ ଦୁଇ ରେଜଲ୍ଟ

ମାଟ୍ରିକ ପରୀକ୍ଷା ଫଳ ଆଧାରରେ ମିଳିବ ଯୁକ୍ତ ଦୁଇ ମାର୍କ । ମହାମାରୀ କରୋନା ପାଇଁ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଥିଲେ ରାଜ୍ୟ ସରକାର । ଏନେଇ ଗତ ୪ ତାରିଖରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରୀକ୍ଷା ବାତିଲ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କୁ କିଭଳି ମାର୍କ ଦିଆଯିବ ସେ ନେଇ ମୂଲ୍ୟାୟନ ପଦ୍ଧତି ସ୍ଥିର କରିଛି ବିଶେଷଜ୍ଞ କମିଟି । ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ ଫଳାଫଳ ବାହାରିବ ବୋଲି କୁହାଯାଇଛି ।

ମାଟ୍ରିକ ମାର୍କ ଅନୁସାରେ ଯୁକ୍ତ ରେଗୁଲାର ପରୀକ୍ଷାର୍ଥୀଙ୍କ ଥିଓରୀ ପେପରରେ ଦିଆଯିବ ମାର୍କ । ମୂଲ୍ୟାୟନ ପାଇଁ ପ୍ରତି ବିଷୟର କରାଯିବ ମ୍ୟାପିଂ । ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଅଲଗା ଆଧାରରେ ମାର୍କ ଦିଆଯିବ । ପୂର୍ବ ପରୀକ୍ଷାରେ ରଖିଥିବା ମାର୍କ ଆଧାରରେ ହେବ ମୂଲ୍ୟାୟନ । ହେଲେ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ପାଇଁ ମାର୍କ ଦେବ ସଂପୃକ୍ତ ଶିକ୍ଷାନୁଷ୍ଠାନ । ପ୍ରାକ୍ଟିକାଲ ମାର୍କକୁ ଯାଂଚ କରାଯିବ । ତେବେ ଯଦି କୌଣସି ପରୀକ୍ଷାର୍ଥୀ ପରୀକ୍ଷାଫଳ ନେଇ ଅସନ୍ତୁଷ୍ଟ ଥିବେ ପଛରେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ । ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ, କଳା ଓ ଧନ୍ଦାମୂଳକ ଶିକ୍ଷା ପାଇଁ ମୋଟ ୩୨୬ଟି ବିଷୟରୁ ବିଷୟ ବାଛିଥାନ୍ତି ଛାତ୍ରଛାତ୍ରୀ । କେବେଳ ୬ଟି ବିଷୟରେ ପରୀକ୍ଷା ଦେଇଥାନ୍ତି ଛାତ୍ରଛାତ୍ରୀ । ତେବେ ପ୍ରତି ବିଷୟର ମ୍ୟାପିଂ କରି ମାର୍କ ଦେବା ସିଏଚଏସଇ ପାଇଁ ବଡ଼ ଚ୍ୟାଲେଂଜ ପାଲଟିବ ।

ସିବିଏସଇ ଦ୍ୱାଦଶ ପରୀକ୍ଷା ମୂଲ୍ୟାୟନ ନେଇ ଚୂଡାନ୍ତ ପଦ୍ଧତି ନିର୍ଦ୍ଧାରଣର ଗୋଟିଏ ଦିନ ପରେ ଯୁକ୍ତ ଦୁଇ ମୂଲ୍ୟାୟନ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପଦ୍ଧତି ନିର୍ଦ୍ଧାରଣ କରିଛି । ତେବେ ସିବିଏସଇ ଭଳି ଦଶମ, ଏକାଦଶ, ଦ୍ୱାଦଶ ଶ୍ରେଣୀର ୟୁନିଟ ପରୀକ୍ଷା ଆଧାରରେ ନୁହେଁ କେବଳ ମାଟ୍ରିକ ପରୀକ୍ଷା ଫଳକୁ ଆଧାର କରି ଯୁକ୍ତ ଦୁଇ ଫଳ ବାହାର କରିବ ସିଏଚଏସଇ । ଅଧିକାଂଶ ଯୁକ୍ତ ଦୁଇ କଲେଜର ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷର ପରୀକ୍ଷା ଦେଇନାହାନ୍ତି ଛାତ୍ରଛାତ୍ରୀ । ତେଣୁ ଦଶମ ପରୀକ୍ଷା ଫଳ ବ୍ୟତିତ ଅନ୍ୟ କୌଣସି ବିକଳ୍ପ ବାହାର କରିପାରିନାହିଁ ସିଏଚଏସଇ ।

Comments (0)
Add Comment