‘ଡେଲଟାକୁ ଡରନ୍ତୁ ନାହିଁ, ସତର୍କ ରୁହନ୍ତୁ’

ଦେଶରେ ୪୮ଟି ଡେଲଟା ପ୍ଲସ ଭ୍ୟାରିଆଂଟ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଓଡିଶାରୁ ଜଣେ ଥିବା ଜଣାପଡିବା ପରେ ରାଜ୍ୟବାସୀ ଛାନିଆ ହୋଇଯାଇଛନ୍ତି । କରୋନାର ଦ୍ୱିତୀୟ ଲହରର ପ୍ରଭାବ କମିନଥିବା ବେଳେ ଡେଲଟା ପ୍ଲସ ଭ୍ୟାରିଆଂଟକୁ ନେଇ ଲୋକଙ୍କ ମନରେ ଭୟ ପଶିଯାଇଛି । ତେବେ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ ଵିଶେଷ ଘାତକ ନୁହେଁ । ଯଦି ଘାତକ ହୋଇଥାନ୍ତା ତେବେ ଏହା ଦେବଗଡ଼ ଜିଲ୍ଲାରେ ବ୍ୟାପୀ ସାରିଥାନ୍ତା । ମାତ୍ର ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି ।

ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଜଣଙ୍କ ଏବେ ସୁସ୍ଥ ଅଛନ୍ତି । ତେଣୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କୌଣସି ଆବଶ୍ୟକତା ନାହିଁ ।ଆଇଏଲଏସରେ ଜାନୁଆରୀରୁ ଜେନମ ସିକ୍ୟୁଏନସିଂ କରଯାଇଥିଲା । ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଭଳି ୪ ରାଜ୍ୟରୁ ୩୮୦୦ ସାମ୍ପୁଲ ଜେନମ ସିକ୍ୟୁଏନସିଂ ପାଇଁ ସଂଗ୍ରହ କରାଯାଇଥିଲା । ସେ ମଧ୍ୟରୁ ଓଡ଼ିଶାରୁ ୧୧୦୦ ସାମ୍ପୁଲ ସଂଗ୍ରହ ହୋଇଥିଲା । ଯେଉଁଥିରୁ ମାତ୍ର ଗୋଟିଏ ଡେଲଟା ପ୍ଲସ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଦେଶରୁ ୪୬ ହଜାର ସାମ୍ପୁଲ ସଂଗ୍ରହ କରାଯାଇ ଥିଲା ସେଥିମଧ୍ୟରୁ ୪୮ଟି କେସ୍ ସାମ୍ନାକୁ ଆସିଛି ଯାହା ମାତ୍ର ୦.୦୧ ପ୍ରତିଶତ ବୋଲି ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି ।
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଆକ୍ରାନ୍ତ ବ୍ୟକ୍ତି ମାର୍ଚ୍ଚ ୩୦ରେ ଟୀକା ନେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଜଣେ କୋରନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ଏପ୍ରିଲରେ ସାମ୍ପଲ ଦେଇଥିବା ବେଳେ ଲକ୍ଷଣହୀନ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ୬ ସପ୍ତାହ ସର୍ଭେଲାନ୍ସ ପିରିୟଡରେ ରଖାଯାଇଥିଲା। । ମେ ମାସରେ ତାଙ୍କ ସମ୍ପୂର୍ଣ୍ଣ ଜେନମ ସିକ୍ୟୁଏନସିଙ୍ଗ ପାଇଁ ପଠାଯାଇଥିଲା । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଏପିଡୋମିଲୋଜି ଟିମ୍ ଦେବଗଡ଼ ଗସ୍ତ କରିଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ରହିଛି, ସେ କାହା ସାଙ୍ଗରେ ମଶିଥିଲେ, ସେ ଯାହା ସାଙ୍ଗରେ ମିଶୁ ଥିଲେ ସେମାନେ ସଂକ୍ରମିତ ହେଇଛନ୍ତି କି ନାହିଁ ସେ ବିଷୟରେ ଯାଞ୍ଚ କରାଯିବ ।

Comments (0)
Add Comment