କୋଟିଆ କେଁ : ସମାଧାନର ସେତୁ ସାଜନ୍ତୁ ବିଶ୍ୱଭୂଷଣ

କୋଟିଆକୁ ନେଇ ଏବେ ଆନ୍ଧ୍ର-ଓଡ଼ିଶା ବିବାଦ ବଢିବାରେ ଲାଗିଛି । ଓଡ଼ିଶାର ସୀମାନ୍ତବର୍ତ୍ତୀ କୋଟିଆ ଗ୍ରାମପଞ୍ଚାୟତର ୨୧ ଗାଁରେ ଆନ୍ଧ୍ର କରୁଥିବା ନିର୍ବାଚନକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ ଦେଇଛି ଓଡ଼ିଶା । ସରକାରୀସ୍ତରରେ ଅନେକ ଆଲୋଚନା ପରେ କୌଣସି ସୁଫଳ ନ ମିଳିବାରୁ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି ମାମଲା । କିନ୍ତୁ ସୁପ୍ରିମକୋର୍ଟରେ ମଧ୍ୟ ଏଯାଏଁ କୋଟିଆ ବିବାଦର ସମାଧାନ ପାଇଁ ରାସ୍ତା ବାହାରି ପାରିନାହିଁ । ଏହି ଘଟଣା ପାଇଁ ବିଜେପି ବାରମ୍ବାର ରାଜ୍ୟ ସରକାରଙ୍କ ଉଦାସୀନତାକୁ ଦାୟୀ କରି ଆସୁଛି । ଏପରିକି ଦଳର ନେତୃମଣ୍ଡଳୀ ଏହା ଭିତରେ କୋଟିଆ ପରିଦର୍ଶନ ସାରି ଫେରିଛନ୍ତି । ରାଜ୍ୟ ବିଜେପିର ପୋଷ୍ଟର ବୟ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିବାଦର ସମାଧାନ ପାଇଁ ସୋସିଆଲ ମିଡିଆରେ ସୂତ୍ର ବାଣ୍ଟିଛନ୍ତି । କିନ୍ତୁ ଏସବୁ ସତ୍ତ୍ୱେ ମଧ୍ୟ ଜଣେ ପରିଚିତ ଚେହେରାଙ୍କୁ ଭୁଲି ଯାଉଛି ବିଜେପି, ଯାହାଙ୍କ ମାଧ୍ୟମରେ ହୁଏତ କୋଟିଆ ବିବାଦକୁ ବେଶ ସରଳରେ ସମାଧାନ କରାଯାଇପାରିବ । କିନ୍ତୁ ଏହି ଫର୍ମୁଲାକୁ ଆପଣାଇବା ବଦଳରେ ସରକାରଙ୍କୁ ଟାର୍ଗେଟ କରିବାକୁ ଯେପରି ପଣ କରିଛି ରାଜ୍ୟ ବିଜେପି ।

ବିଶ୍ୱଭୂଷଣ ହରିଚନ୍ଦନ । ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ । ୨୦୧୯ରୁ ଆନ୍ଧ୍ରର ରାଜ୍ୟପାଳ ଥିବା ବିଶ୍ୱଭୂଷଣ ହରିଚନ୍ଦନ ରାଜ୍ୟ ବିଜେପିର ଜଣେ ତୁଙ୍ଗ ନେତା ଭାବେ ଜଣାଶୁଣା । ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ପୂର୍ବରୁ ବିଶ୍ୱଭୂଷଣ ରାଜ୍ୟ ବିଜେପିର ସବୁଠୁ ପୁରୁଣା ନେତା ଭାବେ ମେଣ୍ଟ ସରକାରରେ ବିଜେପି କୋଟାରୁ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ମେଣ୍ଟ ସରକାରରେ ରାଜସ୍ୱ ମନ୍ତ୍ରୀ ଥିବାରୁ କୋଟିଆ ବାବଦରେ ବେଶ ଭଲଭାବେ ଅବଗତ ଥିବେ ବିଶ୍ୱଭୂଷଣ । ଆଉ ଯେତେବେଳେ କୋଟିଆ ବିବାଦର କଥା ଉଠିଛି ସେତେବେଳେ ନିଜ ଆଡୁ ଏହାର ସମାଧାନ କରିବା ଦିଗରେ ଆଗେଇ ଆସିବା କଥା ବିଶ୍ୱଭୂଷଣ । ଏପରିକି ରାଜ୍ୟପାଳ ଥିବାରୁ ଆନ୍ଧ୍ର ସରକାରଙ୍କୁ ପରାମର୍ଶ ଦେଲେ ହୁଏତ ଏହି ବିବାଦରେ ପୂର୍ଣ୍ଣଚ୍ଛେଦ ପଡିପାରିବ । ଆଉ ଏହାସହ ଦୁଇ ରାଜ୍ୟର ବିବାଦ ଭିତରେ ସମାଧାନର ସେତୁ ସାଜିପାରିବେ ବିଶ୍ୱଭୂଷଣ । କିନ୍ତୁ ଏଯାଏଁ ବ୍ୟକ୍ତିଗତ ଭାବେ ବିଶ୍ୱଭୂଷଣଙ୍କ ପକ୍ଷରୁ ସେଭଳି କୌଣସି ଉଦ୍ୟମ କରାଯାଇଥିବାର ଦେଖିବାକୁ ମିଳିନାହିଁ ଯାହାଦ୍ୱାରା ଏହି ବିବାଦର ସମାଧାନ ହୋଇପାରିବ ।

ଯେହେତୁ ଜଣେ ଓଡ଼ିଆ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ରହିଛନ୍ତି ତେଣୁ ଏହି ବିବାଦ ଉପରେ ତାଙ୍କର କଣ ଆଭିମୁଖ୍ୟ ରହିଛି ତାହା ଉପରେ ରାଜ୍ୟବାସୀଙ୍କର ନଜର ରହିଛି । ସାମ୍ବିଧାନିକ ପଦର ଦ୍ୱାହି ଦେଇ ହୁଏତ ବିଶ୍ୱଭୂଷଣ ବିବାଦର ସାମଧାନ ପାଇଁ ସାମ୍ନାକୁ ଆସୁନଥାଇ ପାରନ୍ତି । କିନ୍ତୁ ବିଜେପି ପକ୍ଷରୁ ବ୍ୟକ୍ତିଗତ ଭାବେ ବିଶ୍ୱଭୂଷଣଙ୍କୁ ଏ ବିବାଦର ସମାଧାନ ପାଇଁ କେବେ ଅନୁରୋଧ କରାଗଲାଣି କି? ନା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଲିଟିକାଲ ମାଇଲେଜ ନେବା ପାଇଁ କୋଟିଆ ବିବାଦକୁ ମାଧ୍ୟମ କରିବାକୁ ଚାହୁଁଛି ବିଜେପି । କେବଳ ବିଜେପି କାହିଁକି ବିଜେଡି ପକ୍ଷରୁ ମଧ୍ୟ ଏହି ବିବାଦର ସମାଧାନ ପାଇଁ ସେତୁ ସାଜିବାକୁ ବିଶ୍ୱଭୂଷଣଙ୍କୁ ଅନୁରୋଧ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି ।

Comments (0)
Add Comment