ଜାମିନ୍ ପରେ ବି ଜେଲରେ ରହିବେ..

ଜାମିନ ମିଳିବା ପରେ ବି ଜେଲରେ ରହିବେ ଆଇଏଫଏସ୍ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ। ସେମାନଙ୍କ ବିରୋଧରେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଏହା ସହ ପାଠକ ବାପ-ପୁଅଙ୍କ ନାଁରେ ଖାରବେଳନଗର ଥାନାରେ ମାମଲା ରହିଛି। ଉଭୟ ବାପ-ପୁଅଙ୍କୁ ଭିଜିଲାନ୍ସ କୋର୍ଟ ଜାମିନ ମଂଜୁର କରିଛନ୍ତି। ଗିରଫ ହେବାର ୬୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ ହୋଇ ନପାରିବାରୁ କୋର୍ଟ ଜାମିନ ଦେଇଛନ୍ତି।

୨ ଲକ୍ଷ ଟଙ୍କା ଓ ଦୁଇ ଜାମିନଦାରଙ୍କ ବଦଳରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ବାପା-ପୁଅଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ।ଉଭୟ ବାପ-ପୁଅ ଗତ ନଭେମ୍ବର ୨୭ ତାରିଖରେ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ। ଧାର୍ୟ୍ୟ ସମୟସୀମା ମଧ୍ୟରେ ଚାର୍ଜସିଟ୍ ଦାଖଲ ନ ହୋଇ ପାରିବାରୁ ସିଆରପିସି ଧାରା -୧୬୭(୨)ରେ ଉଭୟଙ୍କୁ ଜାମିନ ମିଳିଛି।

ନଭେମ୍ବର ମାସ ୨୫ ଓ ୨୬ରେ ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ସହ ରାଜ୍ୟ ବାହାରର ୧୨ଟି ସ୍ଥାନରେ ମାରାଥନ୍ ରେଡ୍ କରିଥିଲା ।ଭିଜିଲାନ୍ସ ପାଠକଙ୍କ ବାସଭବନ ଉପରେ ଚଢାଉ କରି ବିପୁଳ ଅର୍ଥ, ସୁନାଗହଣା ଓ ଆୟବର୍ହିଭୂତ ସ୍ଥାବର-ଅସ୍ଥାବର ସଂପତ୍ତି ଜବତ କରିଥିଲା। ପୁଅ ଆକାଶଙ୍କ ନାମରେ ବି ଆର୍ଥିକ ଅନିୟମିତତା ସହ ଠକେଇ ଅଭିଯୋଗ ରହିଥିଲା। ସରକାର ଅଭୟଙ୍କ ଚାକିରିରୁ ନିଲମ୍ବିତ କରିବା ସହ ବାଧ୍ୟତାମୂଳକ ଅବସର ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ପରେ ପରେ ଟାଟା ମୋଟର୍ସରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପୃକ୍ତି ପଦାକୁ ଆସିଥିଲା । ପରେ ତାଙ୍କୁ ବି ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

Comments (0)
Add Comment