ଆଜି ଅବପାତର ରୂପ ନେଇପାରେ ଲଘୁଚାପ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାଶ୍ୱବର୍ତ୍ତୀ ଆଣ୍ଡାମାନ ସାଗର ଅଂଚଳରେ କେନ୍ଦ୍ରୀଭୂତ ଲଘୁଚାପ ଆଜି ଅବପାତର ରୂପ ନେଇପାରେ । ଆସନ୍ତାକାଲି ଏହା ଆହୁରି ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।ଲଘୁଚାପ ବାତ୍ୟାର ରୂପ ନେବା ପରେ ଏହାର ପ୍ରଭାବରେ ଆସନ୍ତାକାଲିଠୁ ଆରମ୍ଭ ହୋଇଯିବ ବର୍ଷା । ୪ ତାରିଖ ସକାଳେ ‘ଜଓ୍ବାଦ’ ଉତ୍ତର ଆନ୍ଧ୍ର-ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ୩ ତାରିଖ ସଂଧ୍ୟାଠାରୁ ଦକ୍ଷିଣ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ଅନୁମାନ କରାଯାଉଛି ।
ବାତ୍ୟା ପ୍ରଭାବରେ ଆସନ୍ତାକାଲିଠୁ ୫ ତାରିଖ ସକାଳ ପର୍ୟ୍ୟନ୍ତ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବର ସମ୍ଭାବନା ରହିଛି ।ଆସନ୍ତାକାଲି ପାଇଁ ଗଂଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୪ ଓ ୫ ତାରିଖରେ ଉକପୂଳ ଓ ତତ୍ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ୪ ତାରିଖରେ ଗଜପତି, ଗଂଜାମ, ପୁରୀ ଓ ଜଗତସିଂହପୁରର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହ ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି ହୋଇଛି । ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମାଲକାନଗିରି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।
ସାମ୍ଭାବ୍ୟ ବାତ୍ୟା ଉପରେ ନଜର ରଖି ସବୁ ବନ୍ଦରରେ ବିପଦ ସଙ୍କେତ ୩ କିମ୍ବା ୪ ଦିଆଯିବ । ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରି ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଚାଷୀମାନେ ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେବା ସହ ବିଲରୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି ।

Comments (0)
Add Comment