କ୍ଷମତାରୁ ବିଦା ହେଲେ ଇମ୍ରାନ ଖାନ

ସରିଲା ପାକିସ୍ତାନ ସସପେନ୍ସ । ବିଦା ହେଲେ ଇମ୍ରାନ ଖାନ । ଅନାସ୍ଥା ଭୋଟରେ ବିଜୟୀ ହେଲେ ବିରୋଧୀ । ପରାଜୟ ହେଲା ଇମ୍ରାନଙ୍କ ସରକାର । ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ସଂସଦରେ ଆସ୍ଥା ଭୋଟରେ ଇମ୍ରାନ ଖାନ ପରାଜିତ ହୋଇଛି । ଫଳରେ ପାକିସ୍ତାନରେ ଇମ୍ରାନ ଖାନ ସରକାରର ପତନ ଘଟିଛି । ପାକିସ୍ତାନର ନେସନାଲ ଆସେମ୍ବ୍ଲିରେ ଅନାସ୍ଥା ଭୋଟରେ ବିରୋଧୀ ବିଜୟୀ ହୋଇଛନ୍ତି । ପ୍ରସ୍ତାବ ସପକ୍ଷରେ ୧୭୪ ଭୋଟ ପଡିଥିବା ବେଳେ ବିରୋଧରେ ଗୋଟିଏ ବି ଭୋଟ ପଡି ନାହିଁ । ଭୋଟ ପୂର୍ବରୁ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ସମସ୍ତ ସାଂସଦ କକ୍ଷ ତ୍ୟାଗ କରିଥିଲେ, କେହି ମତଦାନ ପ୍ରକ୍ରିୟାରେ ସାମିଲ ହୋଇନଥିଲେ । ଫଳରେ ଫଳାଫଳ ଏକପାଖିଆ ବିରୋଧୀଙ୍କ ସପକ୍ଷରେ ଯାଇଥିଲା । ଅନାସ୍ଥା ଭୋଟରେ ହାରିବା ପରେ ଇମ୍ରାନ ସରକାର କ୍ଷମତାରୁ ବିଦା ହୋଇଛି ।

ସେପଟେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବା ପରେ ଇମ୍ରାନଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ଆସିଥିବାରୁ ବିଭିନ୍ନ ସହରରେ ସେନା ମୁତୟନ କରାଯାଇଛି । ସମସ୍ତ ବିମାନ ଘାଟିରେ ମଧ୍ୟ ହାଇ ଆଲର୍ଟ ଜାରି ହୋଇଛି । ଇସଲାମାବାଦର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇଛି ଓ ଇସଲାମାବାଦରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ସେନା ମୁତୟନ କରାଯାଇଛି ।

ସୋମବାର ବା ଆସନ୍ତାକାଲି ପାକିସ୍ତାନ ସଂସଦ ନୂଆ ପ୍ରଧାନମନ୍ତ୍ରୀ ବାଛିବ ବୋଲି ସୂଚନା ମିଳିଛି । ତେବେ ପୂର୍ବତନ ବିରୋଧୀ ଦଳ ନେତା ତଥା ପାକିସ୍ତାନ ମୁସଲିମ ଲିଗ ନୱାଜ ସାଂସଦ ଶାହବାଜ ସରିଫ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି । ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ଚାଲିଥିଲା ବେଳେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଛାଡି ଇସଲାମାବାଦର ଇନିଗାଲା ସ୍ଥିତ ନିଜ ବାସଭବନକୁ ଚାଲି ଯାଇଛନ୍ତି ।

Comments (0)
Add Comment