ଭାରତ ଓ ଚୀନ୍ ସେନା ମୁହାଁମୁହିଁ । ଅରୁଣାଚଳ ପ୍ରଦେଶରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ । ଗତ ସପ୍ତାହରେ ପାଟ୍ରୋଲିଂ ବେଳେ କିଛି ଘଣ୍ଟା ଧରି ଭାରତ-ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ। ଏଲଏସି କୁ ମାଡ଼ି ଆସିଥିବା ୨୦୦ ଚୀନ୍ ସେନାଙ୍କୁ ରୋକିଥିଲେ ଭାରତୀୟ ସେନା। ପରେ ସ୍ଥାନୀୟ କମାଣ୍ଡର ସ୍ତରୀୟ ଆଲୋଚନାରେ ସମସ୍ୟାର ସମାଧାନ ହୋଇଥିଲା।
ସୂଚନା ଅନୁସାରେ ଗତ ସପ୍ତାହରେ ତୱାଙ୍ଗ ସେକ୍ଟରରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ଚୀନର ପାଖାପାଖି ୨୦୦ ସୈନିକ ଏଲ୍ଏସି ପାର କରି ଭାରତୀୟ ସୀମାକୁ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ଦୁଇ ଦେଶର ସୈନ୍ୟବାହିନୀ ମୁହାଁମୁହିଁ ହୋଇଥିଲେ । କିଛି ଘଂଟା ଧରି ଝଗଡା ଲାଗି ରହିଥିଲା । ଏଥିରେ କେହି ଆହତ ହୋଇଥିବା ନେଇ ସୂଚନା ମିଳିନାହିଁ ।
ସୈନ୍ୟ ପ୍ରତ୍ୟାହାର ପାଇଁ ଦୁଇ ଦେଶ ମଧ୍ୟରେ ଏଯାବତ୍ ୧୨ ଥର ଆଲୋଚନା ହୋଇଥିବା ବେଳେ ଆସନ୍ତା ସପ୍ତାହରେ ପରବର୍ତ୍ତୀ ପର୍ୟ୍ୟାୟ ଆଲୋଚନା ପାଇଁ ସ୍ଥିର କରାଯାଇଛି। ଦୁଇ ଦେଶ ମଧ୍ୟରେ ଦେଖା ଦେଇଥିବା ମତଭେଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରାଯାଉଛି। ସେପଟେ କିନ୍ତୁ ଏଲଏସି ଆରପଟେ ଚୀନର ଅଧିକ ସଂଖ୍ୟାରେ ସୈନ୍ୟ ମୁତୟନ ଓ ଭିତ୍ତିଭୂମି ନିର୍ମାଣକୁ ନେଇ ଭାରତ ଉଦ୍ବେଗ ପ୍ରକାଶ କରିଛି।