ମହାମାରୀ: ମେ’ରେ ନେବ କେଉଁ ରୂପ?

କରୋନା ମେ ମାସରେ କମିବ ନା ବଢିବ ? ଏ ପ୍ରଶ୍ନର ଉତ୍ତର ଏବେ ଖୋଜିବା ଆରମ୍ଭ କଲେଣି ସମସ୍ତେ । ଗତମାସ ମାର୍ଚ୍ଚରେ କରୋନା ନିଜ ପାଖୁଡା ମେଲାଇବା ଆରମ୍ଭ କରିଥିବା ବେଳେ ଏପ୍ରିଲରେ ଅଣନିଶ୍ୱାସୀ କରିପକାଇଲା ପଜିଟିଭ ହାର । ଦୈନିକ ସଂକ୍ରମଣ ଏତେ ମାତ୍ରାରେ ବାହାରିଲା ଯେ ଗତ ମଙ୍କସର କରୋନା ସ୍ଥିତି ନେଇ ଭାଳେଣି ପଡିଗଲା । ୩୦୦ରୁ ଆରମ୍ଭ ହୋଇ ମାସ ଶେଷ ବେଳକୁ ୧୦ ହଜାର ପାରେଇଲା । ଯାହା ଏକ ଚିନ୍ତା ଜନକ ସ୍ଥିତି ଉପୁଜାଇଛି । ଆଉ ଏତିକି ବେଳେ ଏପ୍ରିଲ ସରି ମେ ମାସ ଆରମ୍ଭ ହୋଇଛି ।

ମେ ମାସକୁ ନେଇ ଅନେକ କଥା, ଅନେକ ଆକଳନ । କିଏ କହୁଛି ମେରେ କମିଯିବ କରୋନା କିଏ କହୁଛି ମେ ଶେଷ ସପ୍ତାହ ବେଳକୁ ହ୍ରାସ ପାଇବ କରୋନା ଗ୍ରାଫ । ଶୀର୍ଘରେ ଥିବା ସଂକ୍ରମଣ ମେ ଶେଷ ବେଳକୁ ସମାପ୍ତ ହେବା ପରିସ୍ଥିତିରେ ରହିଥିବ । ଏ ସବୁ ଆକଳନ, ଚର୍ଚ୍ଚା ଆଲୋଚନା ଭିତରେ ବିଶେଷଜ୍ଞ ମାନେ ସଠିକ ତଥ୍ୟ ଦେଇପାରୁନାହାନ୍ତି କି କାରଣ ଖୋଜିପାଉନାହାନ୍ତି । କରୋନା କେତେ ଦିନ ରହିବ ଏ ପ୍ରଶ୍ନର ଉତ୍ତର କାହା ପାଖରେ ନଥିବା ବେଳେ ମୃତ୍ୟୁର ମହାତାଣ୍ଡବ ରଚୁଛି ମହାମାରୀ । ଦୈନିକ ସଂକ୍ରମଣ ଏବେ ସୁନାମୀ ପରି ମାଡି ଯାଉଛି । ସବୁଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଛନ୍ତି । ହଜାର ହଜାର ଲୋକ ଆଖିବୁଜୁଛନ୍ତି । ଆଜି ଦେଶରେ ୪ ଲକ୍ଷ ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ୩ ହଜାର ଡେଇଁଛି ମୃତକଙ୍କ ସଂଖ୍ୟା ।

ଓଡିଶାରେ ତ ସ୍ଥିତି ସାଙ୍ଘାତିକ । ଏପ୍ରିଲ ୩୦ରେ ୧୦, ୪୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାସରେ ଶେଷରେ ୧୦ ଅଙ୍କ ଡେଇଁଛି ସଂକ୍ରମଣ । ସେମିତି ୨୪ ଜିଲ୍ଲାର ୩ ଅଙ୍କ ଉପରେ କରୋନା । ଆଜି କରୋନାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଓ ସୁନ୍ଦରଗଡର ସ୍ଥିତି ଭୟ ଭରିଛି । ସବୁଠାରୁ ବଡକଥା ହେଉଛି ଏପ୍ରିଲ ମାସରେ ରାଜ୍ୟରେ ମୋଟ ୧ ଲକ୍ଷ ୧୩ ହଜାର ୫୯୧ ଜଣ ସଂକ୍ରମିତ ହୋଇଛନ୍ତି । ଯଦି ମାସକରେ ଏତେ ସଂକ୍ରମିତ ହେଉଛନ୍ତି ତେବେ ଏଇ ମାସରେ ଅର୍ଥାତ ମେରେ ସ୍ଥିତି ଜଟିଳ ହେବ ନା କମିତ ତାହା ଚିନ୍ତାର କାରଣ ପାଲଟିଛି ।

ତେବେ ନଜର ପକାନ୍ତୁ ଏପ୍ରିଲ ମାସରେ କଣ ଥିଲା କରୋନାର ଗଣିତ…
ଏପ୍ରିଲ ୧ ତାରିଖରେ- ୩୯୪, ୨ ତାରିଖରେ- ୪୬୧, ୩ ତାରିଖରେ- ୪୫୨ ଏମିତି ଶହେ ଶହେ ବଢି ବଢି ୯ ତାରିଖରେ ହଜାରେ ପାର କରିଥିଲା କରୋନା ଅର୍ଥାତ ଏପ୍ରିଲ ୯ରେ ସଂଖ୍ୟା ୧୨୮୨ ଥିଲା । ସେବେଠାରୁ ଲଗାତାର ୧୦ ଦିନ ସଂଖ୍ୟା ବଢି ବଢି ଚାଲିଲା ପଛେ କମିବାର ନାଁ ନେଲାନି । ୨୦ ତାରିଖ ଦିନ ୪୮୫୧, ୨୧ରେ ୬୧୬୪, ୨୨ରେ ୬୨୧୫, ୨୩ରେ ୬୬୪୭, ୨୪ରେ ୬୧୧୬, ୨୫ରେ ୬୫୯୯, ୨୬ରେ ୬୦୭୩, ୨୭ରେ ୮୩୮୬, ୨୮ରେ ୬୯୯୮, ୨୯ରେ ୮୬୮୨୧ ଏବଂ ୩୦ ତାରିଖରେ ୧୦, ୪୧୪ । ଏଥିସହ ଏପ୍ରିଲ ମାସରେ ସର୍ବମୋଟ ୧ ଲକ୍ଷ ୧୩, ୫୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ମାସର ଆକ୍ରାନ୍ତଙ୍କ ସଂଖ୍ୟା ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଏ ମାସର ମହାମାରୀ ମାନସାଙ୍କ କଣ ହେବ, କରୋନା ଗ୍ରାଫ କଣ ରହିବ ସମସ୍ତେ ଚିନ୍ତାରେ ଅଛନ୍ତି । ଆଉ ଏପରି ସ୍ଥଳରେ ସମସ୍ତେ ସତର୍କ ରହିବା ଜରୁରୀ ବୋଲି ପରାମର୍ଶ ଦିଆଯାଉଛି ।

Comments (0)
Add Comment