ବ୍ରିଟେନରେ କରୋନାର ନୂଆ ରୂପ…ଚିନ୍ତାରେ ଭାରତ

କରୋନା ଭୂତାଣୁର ନୂଆ ଷ୍ଟ୍ରେନ ସମସ୍ତଙ୍କ ଚିନ୍ତା ବଢାଇଦେଇଛି । ବ୍ରିଟେନରେ ଲଡକାଉନ କଡାକଡି କରାଯାଇଛି ।ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ଓ ପଜିଟିଭ ମାମଲା ବଢିବା ସମସ୍ତ ବିମାନ ଉପରେ କଟକଣା ଲଗାଯାଇଛି । ତେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ମଧ୍ୟ ଏହା ଚିନ୍ତା ବଢାଇ ଦେଇଛି । ବ୍ରିଟେନରୁ ସମସ୍ତ ବିମାନକୁ ବାତିଲ କରିଛି ଭାରତ । ଭାଇରସର ନୂଆ ଷ୍ଟ୍ରେନ ପାଇଁ ହାଇ ଆଲର୍ଟରେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ରର ସହରାଞ୍ଚଳରେ ରାତ୍ରି କର୍ଫ୍ୟୁ ଲାଗୁ ହେବ । ମହାରାଷ୍ଟ୍ରରେ ରାତି ୧୧ଟାରୁ ସକାଳ ୬ଟା ଯାଏଁ କଟକଣା ଲାଗୁ ହେବ । ଏହି କଟକଣା ଜାନୁଆରୀ ୫ ତାରିଖ ଯାଏଁ ବଳବତ୍ତର ରହିବ ।

ଭାରତ ମଧ୍ୟ କରୋନାର ନୂତନ ରୂପକୁ ନେଇ ସତର୍କ ହୋଇ ଉଠିଛି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଆମେ ସଂପୂର୍ଣ୍ଣ ଭାବେ ସତର୍କ ଅଛୁ। ଲୋକଙ୍କ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ଭାରତ ମଧ୍ୟ ବ୍ରିଟେନ୍‌ର ଏହି ନୂତନ କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି ଡିସେମ୍ବର ୨୨ରୁ ୩୧ ପର‌୍ୟ୍ୟନ୍ତ ବ୍ରିଟେନ୍‌ର ବିମାନ ଯାତାୟାତ ଉପରେ ରୋକ୍ ଲଗାଇଛି। ଏହାପୂର୍ବରୁ ଆସୁଥିବା ବିମାନର ସମସ୍ତ ପାସେଞ୍ଜରଙ୍କ ଆରଟି-ପିସିଆର ଟେଷ୍ଟ କରାଯାଉଛି ।

ଏହା ପୂର୍ବରୁ ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ, ବେଲଜିୟମ, ଅଷ୍ଟ୍ରିଆ ଓ ଇଟାଲୀ ବ୍ରିଟେନ୍‌ର ଯାତ୍ରା ଉପରେ ରୋକ୍ ଲଗାଇବାକୁ ଘୋଷଣା କରିଛନ୍ତି। ସ୍ଥିତି ଅଣାୟାତ୍ତ ହେଉଥିବାରୁ ପଡ଼ୋଶୀ ଦେଶଗୁଡ଼ିକ ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ କରିଦେଇଛନ୍ତି ।ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କହିଛନ୍ତି କ୍ଷିପ୍ର ବେଗରେ ସଂକ୍ରମଣ ବଢ଼ାଉଥିବା ଏହି ନୂଆ ଷ୍ଟ୍ରେନ୍ ପାଖାପାଖି ୭୦ ପ୍ରତିଶତ ଅଧିକ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି । ଜଣେ ଆକ୍ରାନ୍ତଙ୍କ ଠାରୁ ଏହି ସଂକ୍ରମଣ ୦.୪ ପ୍ରତିଶତ ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି । ବ୍ରିଟେନ୍ରେ ପୂର୍ବରୁ ୧୦ ଜଣ ଆକ୍ରାନ୍ତ ହାରାହାରି ୯ ଜଣଙ୍କୁ ସଂକ୍ରମିତ କରୁଥିବା ବେଳେ ଏବେ ୧୦ ଜଣ ଆକ୍ରାନ୍ତ, ୧୨ରୁ ୧୩ ଜଣଙ୍କୁ ସଂକ୍ରମିତ କରୁଛନ୍ତି । ଅର୍ଥାତ୍ ଲକ୍ଷେ ଲୋକ ଯଦି ନୂଆ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୁଅନ୍ତି, ଚାହୁଁ ଚାହୁଁ ଏମାନେ ଆଉ ଲକ୍ଷେ ୩୦ ଜଣଙ୍କୁ ଆକ୍ରାନ୍ତ କରିଦେବେ ।

Comments (0)
Add Comment