ଦେଶରେ କରୋନା ସଂକ୍ରମଣ ଯେପରି ବଢିଚାଲିଛି ତାହା ଚିନ୍ତାଜନକ । ଦିନକୁ ଦିନ ଦେଶରେ ବେକାବୁ ହେବାରେ ଲାଗିଛି ସଂକ୍ରମଣ । ଦେଶରେ ପ୍ରତିଦିନ ଏବେ ୫୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ୨୦୨୦ ଅକ୍ଟୋବର ୨୩ ପର ଠାରୁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରଥମ ଥର ଲାଗି ରେକର୍ଡସଂଖ୍ୟକ ୫୯,୧୧୮ ଜଣ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢିଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୫୯ ହଜାର ୧୧୮ କାରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୫୭ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଏକ କୋଟି ୧୮ ଲକ୍ଷ ୪୬ ହଜାର ୬୫୨ କୁ ପହଞ୍ଚିଛି । ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୩୨,୯୮୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୧୨,୬୪,୬୩୭। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪,୨୧,୦୬୬ ।
ଦେଶରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ପଛରେ ମହାରାଷ୍ଟ୍ର ଅଧିକାଂଶ ପରିମାଣ ଦାୟୀ। କାରଣ ଭାରତରୁ ଚିହ୍ନଟ ହେଉଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରୁ ୬୦ରୁ ଅଧିକ ପ୍ରତିଶତ ଲୋକ ରହିଛନ୍ତି । ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୩୫,୯୫୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଗତ ୨୪ ଘଂଟା ମଧ୍ୟରେ ଦିଲ୍ଲୀରୁ ୧୫୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।