ପୁଣି ଫେରିଲା ଭୟ

ପୁଣି ଫେରିଲା ଭୟ । କିଛି ଦିନର ବ୍ୟବଧାନ ପରେ ଦେଶରେ ଯେପରି ଭାବେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି ତାହା ସମସ୍ତଙ୍କ ନିଦ ହଜାଇଦେଇଛି । ଏମିତି ଯଦି ସଂକ୍ରମଣ ବଢିଚାଲେ ପୁଣି ପୂର୍ବପରି ଲକଡାଉନ ଓ ସଟଡାଉନ ପରିସ୍ଥିତି ଉପୁଜିପାରେ । ଏବେଠୁ ସତର୍କ ନହେଲେ ଆଗକୁ ପୁଣି ସ୍ଥିତି ବିଗିଡିପାରେ । ଗତକାଲି ପ୍ରାୟ ୩୫ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୪୦ ହଜାର ପାଖାପାଖି ହୋଇଯାଇଛି। କ୍ରମାଗତ ୯ ଦିନ ଧରି ଦେଶରେ ଦୈନିକ ନୂତନ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢିବାର ଲାଗିଛି । ତେବେ ମହାରାଷ୍ଟ୍ରରେ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

ଗତ ୨୪ ଘଂଟାରେ ସାରା ଦେଶରେ ୩୯ ହଜାର ୭୨୬ ନୂଆ ପଜଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୫୪ ଜଣଙ୍କ ଜୀବନ ଯାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୧୫,୧୪,୩୩୧ରେ ପହଞ୍ଚିଛି। ଗତକାଲି ଠାରୁ ଆଜି ୧୮% ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ମହାରାଷ୍ଟ୍ରରେ କରୋନା ସଂକ୍ରମଣ ମାଡ଼ି ଚାଲିଥିବାରୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ହେଲେ କେବଳ ମହାରାଷ୍ଟ୍ର ନୁହେଁ, ଦିଲ୍ଲୀ, ପଞ୍ଜାବ, ତାମିଲନାଡୁ ଭଳି ରାଜ୍ୟରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଧୀରେଧୀରେ ବଢ଼ିବା ଆରମ୍ଭ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୨୫ ହଜାର ୮୩୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।୫୮ ଜଣଙ୍କ ମୃତ୍ୟୁ ଘଟିଛି ।ମହାରାଷ୍ଟ୍ରରେ କରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇଯାଇଛି । ସଂକ୍ରମଣ ମାମଲା ବୃଦ୍ଧିପାଉଥିବାରୁ ବର୍ତ୍ତମାନ ସ୍ଥିତି ଭୟଙ୍କର ହୋଇଛି । କରୋନା ଭାଇରସ ଲଗାତାର ଭାବେ ସ୍ଥିତି ବଦଳାଉଥିବା ବେଳେ ନୂଆ ନୂଆ ଷ୍ଟ୍ରେନ୍‌ ଏବେ ଚିନ୍ତାର କାରଣ ପାଲଟିଛି ।

Comments (0)
Add Comment