ୟୁକ୍ରେନରେ ଚାଲିଛି ଘମାଘଟ ଲଢେଇ । ଘମାଘୋଟ ଯୁଦ୍ଧ ଭିତରେ ଅଧିକାଂଶ ଲୋକ ରାଜଧାନୀ କିବ ଛାଡୁଥିବା ବେଳେ ଜଣେ ଭାରତୀୟ ଛାତ୍ର ଗୁଳିମାଡର ଶିକାର ହୋଇଛନ୍ତି । ଆହତ ଭାରତୀୟ ଛାତ୍ରଙ୍କୁ ଚିକିତ୍ସା ପାଇଁ ପୁଣିଥରେ କିବରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୋଲାଣ୍ଡରେ ଥିବା କେନ୍ଦ୍ରମନ୍ତ୍ରୀ ବି.କେ ସିଂ ।
ସୂଚନା ଅନୁଯାୟୀ ଶୁକ୍ରବାର ସକାଳେ କିଭରେ ଆଉ ଜଣେ ଭାରତୀୟ ଛାତ୍ରଙ୍କଠାରେ ଗୁଳି ବାଜିଛି । ଛାତ୍ର ଭାରତକୁ ଫେରୁଥିବା ବେଳେ ଗୁଳି ବାଜିଥିବା ନେଇ କୁହାଯାଉଛି । ଏଭଳି ପରିସ୍ଥିତିରେ ଛାତ୍ରଙ୍କୁ ଚିକିତ୍ସା ପାଇଁ ପୁଣି କିଭକୁ ଫେରିବାକୁ ପଡିଛି । ଏହି ଯୁଦ୍ଧରେ ଏପର୍ୟ୍ୟନ୍ତ ୧୫୦୦ ୟୁକ୍ରେନୀୟ ଆହତ ହୋଇଛନ୍ତି।
ତେବେ ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଏଯାବତ ୨ ଜଣ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇ ସାରିଲାଣି । ୧ ମାର୍ଚ୍ଚରେ ୟୁକ୍ରେନର ଖାରକିଭରେ ଋଷ ପକ୍ଷରୁ ହୋଇଥିବା ଆକ୍ରମଣରେ କର୍ଣ୍ଣାଟକର ନବୀନ ଶେଖରପ୍ପାଙ୍କ ମୃତ୍ୟୁ ହୋଇଥିଲା । ସେହିଭଳି ମାର୍ଚ୍ଚ ୨ ତାରିଖରେ ମଧ୍ୟ ୟୁକ୍ରେନରେ ଆଉ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା । ମୃତଜ ଚନ୍ଦନ ଜିନ୍ଦଲ ପଞ୍ଜାବର ବାସିନ୍ଦା ହୋଇଥିବା ବେଳେ ୪ ବର୍ଷ ପୂର୍ବେ ଡାକ୍ତରୀ ପାଠ ପଢିବା ପାଇଁ ୟୁକ୍ରେନ୍ ଯାଇଥିଲେ । ଯୁଦ୍ଧ ଭିତରେ ୨ ଫେବ୍ରୁଆରୀରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିଲା ।