ଦିଲ୍ଲୀର ଦିଲ୍ ଜିତିଲେ ବୋଥ୍ରା…

ଅମ୍ଳଜାନ ବିନା ଆଉ ଦୌଡି ପାରୁନଥିଲା ଦିଲ୍ଲୀ । ରାଜଧାନୀର ଛାତି ଉପରେ ଅକ୍ସିଜେନ ବିନା ଛଟପଟ ହେଉଥିଲା ଜୀବନ । ନିଶ୍ୱାସ ନମିଳିଲେ ନିରବିଯିବ ପ୍ରାଣ । ହାତରେ ସମୟ ସ୍ୱଳ୍ପ, ଅଧରାତିରେ ସରିଯିବ ସଞ୍ଚିତ ସିଲିଣ୍ଡର । ବାଜିରେ ଲାଗିଛି ୬୮ ଜୀବନ । ଶୁଣୁ ନାହାନ୍ତି ସରକାର, ଅଭାବର ଆଁ ଭିତରେ ଫଶି ଅକ୍ସିଜେନ ଦିଅ ଦିଅ… ବାଲି ଯେତେ ଚିତ୍କାର କଲେ ବି କେହି ଶୁଣିବାକୁ ନାରାଜ । ଏମିତି ଏକ ଘଡିସନ୍ଧି ମୁହୂର୍ତ୍ତରେ କେମିତି ବଞ୍ଚିବ ୬୮ ଜୀବନ, କିଏ ଦେବ ଅକ୍ସିଜେନ । ଦିଲ୍ଲୀର ଦମ ନାହିଁ ଅକ୍ସିଜେନ ଯୋଗାଇବାକୁ, ଆଉ କେଉଁଠୁ ଆସିବ ଅମ୍ଳଜାନ…? ଅଧରାତିରେ ଅକ୍ସିଜେନର ଜରୁରୀକାଳୀନ ଆବଶ୍ୟକ ପଡିବା ପରେ ଦିଲ୍ଲୀର ରଥୀ ହସ୍ପିଟାଲ ଏମିତି ଆକୁଳ ନିବେଦନ କରିଥିଲା ।

ଆଉ ଅକ୍ସିଜେନ ଏମରଜେନ୍ସିର ଏ ବ୍ୟାକୁଳତା ଭରା ଟୁଇଟ ପଡିଥିଲା ଆଇପିଏସ ଅରୁଣ ବୋଥ୍ରାଙ୍କ ଆଖିରେ । ବାସ୍ ତାପରେ ଦିଲ୍ଲୀ ଯାଏଁ ଲମ୍ବିଥିଲା ବୋଥ୍ରାଙ୍କ ବଡପଣ । କେମିତି ଦିଲ୍ଲୀ ନାଙ୍ଗଲୋଇ- ନଜାଫଗଡ ସ୍ଥିତ ରଥୀ ହସ୍ପିଟାଲରେ ଅକ୍ସିଜେନ ପହଞ୍ଚିବ ସେଥିପାଇଁ ରାତାରାତି ପ୍ରାଣପ୍ରଣେ ଚେଷ୍ଟା କରିଥିଲେ ବୋଥ୍ରା । ହସ୍ପିଟାଲ ସହ କଥା ହେବା ପରେ ଆବଶ୍ୟକ ଅକ୍ସିଜେନ ଯୋଗାଇ ଦେବାକୁ ଆରମ୍ଭ କରିଥିଲେ ମିଶନ ଅକ୍ସିଜେନ । ଦିଲ୍ଲୀର କିଛି ପରିଚିତ ସହୃଦୟ ବ୍ୟକ୍ତିଙ୍କ ସହାୟତାରେ ସେ ହସ୍ପିଟାଲରେ ଅକ୍ସିଜେନ ପହଞ୍ଚାଇବାକୁ ରୋଡ୍ ମ୍ୟାପ ପ୍ରସ୍ତୁତ କରିଥିଲେ ।

ରାତାରାତି ରୋଗୀଙ୍କ ଅକ୍ସିଜେନ ଆବଶ୍ୟକତା ପଡୁଥିବାରୁ କମ ସମୟ ମଧ୍ୟରେ କେମିତି ସେମାନଙ୍କ ପାଖରେ ଅମ୍ଳଜାନ ପହଞ୍ଚିବ ତାହା ସବୁଠାରୁ ବଡ ଚାଲେଞ୍ଜ ଥିବା ବେଳେ ଅକ୍ସିଜେନ ସିଲିଣ୍ଡର ବୋଝେଇ ଗାଡି ରାସ୍ତାରେ ଯେମିତି କୌଣସି ଟ୍ରାଫିକ ସମସ୍ୟାରେ ନପଡେ ତେଣୁ ସ୍ଥାନୀୟ ପୋଲିସ ସହ ଯୋଗାଯୋଗ କରି ସୁରୁଖୁରୁରେ ହସ୍ପିଟାଲରେ ପହଞ୍ଚାଇଥିଲେ ଜୀବନ ପାଇଁ ନିଶ୍ୱାସ ଭର୍ତ୍ତି ସିଲିଣ୍ଡର । ଆଉ ଅରୁଣଙ୍କ ଏ ଆପ୍ରାଣ ଚେଷ୍ଟା ପାଇଁ ଏକ ନିଶ୍ଚିତ ମୃତ୍ୟୁରୁ ବଞ୍ଚିଗଲା ୬୮ ରୋଗୀଙ୍କ ଜୀବନ ।

ତେବେ ବୋଥ୍ରା ବିପଦର ବନ୍ଧୁ ସାଜିବା ପରେ ରଥୀ ହସ୍ପିଟାଲ ତାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛି । ଆଉ ଦବଙ୍ଗ ଅଫିସରଙ୍କ ଏ ବଡ ପାଇଁ ତାଙ୍କୁ ସବୁଆଡୁ ପ୍ରଶଂଶା ମିଳୁଥିବା ବେଳେ ଏମିତି ଏକ ସଙ୍କଟସମୟରେ ସେ ସାଜିଛନ୍ତି ଦେବଦୂତ । ତେବେ ଗତବର୍ଷ ଲକଡାଉନ ସମୟରେ ବି ଜଣେ ରୋଗୀକୁ ଓଟ କ୍ଷୀର ଯୋଗାଇଥିଲେ । ତାଲାବନ୍ଦ ପାଇଁ ଗାଡି ମଟର ବନ୍ଦ ଥିବାରୁ ଜଣେ ଛୋଟ ପିଲାର ରୋଗ ପାଇଁ ଓଟ କ୍ଷୀର ଆବଶ୍ୟକତାକୁ ରାଜସ୍ଥାନରୁ ୨୦ ଲିଟର କ୍ଷୀର ଆଣି କୁନି ପିଲାର ଚିକିତ୍ସା ପାଇଁ ଦେଇଥିଲେ ବୋଥ୍ରା । ଆଉ ଏବେ ପୁଣି ଅକ୍ସିଜେନ ଦେଇ ଦିଲ୍ଲୀର ଦିଲ ଜିତିଛନ୍ତି ଅରୁଣ ।

ଖାଲି ସେତିକି ନୁହେଁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ଦବଙ୍ଗ ପୋଲିସ ଅଫିସର ବି ସ୍ୱାସ୍ଥ୍ୟସେବାରେ ସକ୍ରିୟ ଅଛନ୍ତି । ଅଲଗା ପ୍ରୋଫେସନ ଥାଇ ବି ବୋଥ୍ରା ଇଣ୍ଡିଆ କେୟାର ନାମକ ଏକ ସଂସ୍ଥା ଗଢି ଲୋକଙ୍କ ସେବା କରୁଛନ୍ତି । ପାଟଣାଗଡ ପାର୍ସଲ ବୋମା ଘଟଣା ହେଉ କି ସୁର, ସାରଥୀ ଅବା ହେଉ ପରୀ ହତ୍ୟା ମାମଲା । ସବୁ ବଡ ବଡ ମାମଲାରେ ମାଇଣ୍ଡ ଗେମ୍ ଖେଳି ଅପରାଧର ଖିଅ ଖୋଜି ଚର୍ଚ୍ଚିତ ଥିବା ବୋଥ୍ରା ଏବେ ଦିଲ୍ଲୀକୁ ଅମ୍ଳଜାନ ପଠାଇ ଦିଲ ଜିତିଛନ୍ତି ।

Comments (0)
Add Comment