ଓଡିଶାରେ ହେଉଛି କି ଟିଆରପି ଚୋରୀ ?

ଖୁବ କମ ଦିନ ମଧ୍ୟରେ ଦର୍ଶକଙ୍କ ଭିତରେ ଛାପ ଛାଡିଛି ରିପବ୍ଲିକ ଟିଭି ନେଟୱାର୍କ । ଉଭୟ ହିନ୍ଦୀ ଓ ଇଂରାଜ୍ୟ ଚ୍ୟାନେଲ ଜରିଆରେ ବର୍ଷ କେଇଟାରେ ରେକର୍ଡ ପରେ ରେକର୍ଡ କରି ଚାଲିଛି । ଦଶନ୍ଧି ଦଶନ୍ଧି ଧରି ଲୋକଙ୍କ ମନରେ ଜାଗା ତିଆରି କରିଥିବା କିଛି ଚ୍ୟାନେଲକୁ ପଛରେ ପକାଇ ଆଗକୁ ବଢିଛି ରିପବ୍ଲିକ । ଆଗକୁ ଆଂଚଳିକ ଭାଷାରେ ଚ୍ୟାନେଲ ଆଣିବାକୁ କଂପାନୀ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ହେଲେ ଯେଉଁ ଦିଗଟି ଏବ ସମସ୍ତଙ୍କ ମନରେ ଆଲୋଡନ ସୃଷ୍ଟି କରୁଛି ତାହେଲା, ଟିଆରପି ସ୍କାମ କରୁଥିଲା କି କଂପାନୀ? ଅର୍ଥାତ୍ ଟଙ୍କା ଦେଇ ନିଜ ରେଟିଂ ପଏଂଟ ବଢାଇ କମ୍ ଦିନରେ ଲୋକପ୍ରିୟ ହେବାକୁ ମସୁଧା କରିଥିଲା କି?

ରିପବ୍ଲିକ ଟିଭିର ସିଇଓ ଗିରଫ ହେବା ପରେ ଏହି ଆଶଙ୍କା ଆହୁରି ଦୃଢୀଭୂତ ହେଉଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ମୁମ୍ବାଇ ପୁଲିସ କମିଶନର ସାମ୍ନାଦିକ ସମ୍ମିଳନୀ କରି ଟିଆରପି ଚୋରୀ କିଭଳି ହେଉଛି ତାର ଖୁଲାସା କରିଥିଲେ । ରିପବ୍ଲିକ ଟିଭି ଯଦିଓ ସେହି ସମୟରେ ଏହାକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଥିଲା, ହେଲେ ଏହା ସେତେବେଳେ ଅର୍ଣ୍ଣବଙ୍କ ଚ୍ୟାନେଲକୁ କଠଗଡାକୁ ଟାଣି ଆଣିଥିଲା । ଏହି ମାମଲାରେ କେବଳ ରିପବ୍ଲିକ ଟିଭିର ସିଇଓ ଗିରଫ ହୋଇନାହାନ୍ତି ବରଂ ୧୦ରୁ ଅଧିକ ଲୋକଙ୍କୁ ଗିରଫ କରିସାରିଲାଣି ମୁମ୍ବାଇ ପୁଲିସ ।

ସ୍ୱାଭାବିକ ଭାବେ ଏବେ ଟିଆରପି ଅର୍ଥାତ୍ ଟେଲିଭିଜନ ରେଟିଂ ପଏଂଟ ଉପରେ ସମସ୍ତେ ସନ୍ଦେହ କରିବା ସ୍ୱାଭାବିକ । କାରଣ ଟଙ୍କା ଦେଇ କେହି ନିଜର ରେଟିଂ ବଢାଉନାହାନ୍ତି ତ? ସେମିତିରେ ମଧ୍ୟ ଗଣମାଧ୍ୟମ ଦେଖାଉଥିବା ବିଷୟବସ୍ତୁ ଉପରେ ଅନେକ ଲୋକ ସନ୍ଦେହ କରିବା ଆରମ୍ଭ କରିସାରିଲେଣି । କିଏ କେଉଁ ରାଜନୈତିକ ଦଳର ସମର୍ଥନରେ ଠିଆ ହୋଇଛି ତାକୁ ନେଇ ସମୀକ୍ଷା କରିଲେଣି । ହେଲେ ଏହାରି ଭିତରେ ଗୋଟିଏ ଦିଗ ସ୍ପଷ୍ଟ ହେବାର ଆବଶ୍ୟକତା ରହୁଛି ଯଦି ଜାତୀୟ ସ୍ତରରେ ଟିଆରପି ସ୍କାମ ହେଉଛି, ତେବେ ରାଜ୍ୟ ସ୍ତରରେ ଏଭଳି ସ୍କାମ ହେଉଛି କି?

ମୁମ୍ବାଇ ପୁଲିସ ଏହାରି ଉପରେ ବିଶଦ ଭାବେ ତଦନ୍ତ କରି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା । ସାମ୍ବାଦିକ ସମ୍ମିଳନୀ କରି ପୁରା ତଥ୍ୟ ସାମ୍ନାକୁ ଆଣିଲା । କାରଣ ଟିଆରପି ଉପରେ ହିଁ ନିର୍ଭର କରେ ପୁରା ବିଜ୍ଞାପନ ବଜାର । ତେଣୁ ଏଥିରେ ଯଦି କିଛି ବ୍ୟତିକ୍ରମ ହୁଏ ତେବେ ଏଥିରେ ସୁଧାର ଆସିବା ନିହାତି ଜରୁରୀ । ରାଜ୍ୟରେ ଏକାଧିକ ଚ୍ୟାନେଲ କାର୍ଯ୍ୟ କରୁଛନ୍ତି । ସମସ୍ତେ ନିଜକୁ ଅନ୍ୟ ମାନଙ୍କ ଠାରୁ କିଭଳି ଆଗରେ ତାକୁ ନେଇ ରିପୋର୍ଟ ପ୍ରକାଶ କରିଥାନ୍ତି । ହେଲେ ଏହାରି ଭିତରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ହେଉ ଅବା ରାଜ୍ୟ ସରକାର କିମ୍ବା ନିଜ ଆଡୁ ପୁଲିସ ଏହା ଉପରେ ଏକ ତଦନ୍ତ କରିବାର ଆବଶ୍ୟକତା ରହୁଛି । ଯଦି ରାଜ୍ୟରେ ମଧ୍ୟ ଏଭଳି ଟିଆରପି ସ୍କାମ ହେଉଥାଏ ତାକୁ ରୋକିବାର ଗୁରୁ ଦାୟିତ୍ୱ ରାଜ୍ୟ ସରକାରଙ୍କର । କାରଣ ସ୍କାମ ଜରିଆରେ ଲୋକଙ୍କ ମାନସିକତା ସହ ଖେଳାଯାଇଥାଏ ।

ଟିଆରପି ସ୍କାମ ନେଇ ଅଭିଯୋଗ ଆସିବା ପରେ ରେଟିଂ ଆକଳନ କରୁଥିବା ସଂସ୍ଥା ବାର୍କ ଏହାକୁ କିଛି ମାସ ବନ୍ଦ ରଖିଥିଲା । ଅନୁମାନ କରାଯାଉଛି ବ୍ୟବସ୍ଥାରେ କିଛି ସୁଧାର ଆଣି ନୂଆବର୍ଷ ପରେ ସଂସ୍ଥା ଏହାର ରିପୋର୍ଟକୁ ପୁଣି ସାମ୍ନାକୁ ଆଣପାରେ । ହେଲେ ରାଜ୍ୟରେ ଟିଆରପି ସ୍କାମ ହେଉଛି କି ନାହିଁ, ସେନେଇ ସମସ୍ତେ ସ୍ପଷ୍ଟ ହେବାର ଆବଶ୍ୟକତା ରହୁଛି ।

Comments (0)
Add Comment