ଆତ୍ମା – ପରମାତ୍ମାର ମିଳନ

ଭକ୍ତ-ଭଗବାନ ମଧ୍ୟରେ ଅପେକ୍ଷାର ଅନ୍ତ ହୋଇଛି । ମହାବାହୁଙ୍କୁ ନିରିଖେଇ ଦେଖିବାର ସୁଯୋଗ ପୁଣି ଥରେ ଆସିଛି । କଟକଣା ଏବଂ ସାମାଜିକ ଦୂରତା ଭିତରେ ଗର୍ଭଗୃହ ଯାଏଁ ପହଁଚି ଚକାଆଖି ପାଖରେ ନିଜକୁ ସମର୍ପି ଦେବାର ଅବସର ୯ ମାସ ପରେ ଭକ୍ତଙ୍କୁ ମିଳିଛି । ପୁରୀରେ ଆରମ୍ଭ ହୋଇଛି କାଳିଆ ଦର୍ଶନ । ଯଦ୍ଖସ ପ୍ରଥମ ପର୍ଯାୟରେ ସେବାୟତ ପରେ ପୁରୀବାସୀ ଏହାପରେ ସର୍ବସାଧାରଣ ଜଗନ୍ନାଥଙ୍କ ଦର୍ଶନ ପାଇଁ ସୁଯୋଗ ପାଇବେ । ପ୍ରଥମ ପର୍ୟ୍ୟାୟରେ ବୁଧବାର ଠାରୁ ସେବାୟତମାନେ ମନ୍ଦିରରେ ଦର୍ଶନ କରୁଛନ୍ତି । ୨୫ ତାରିଖ ପର୍ୟ୍ୟନ୍ତ କେବଳ ପରିଚୟପତ୍ର ଦେଖାଇ ସେବାୟତ ଯେକୌଣସି ଦ୍ୱାରରେ ପ୍ରବେଶ କରି ଦର୍ଶନ କରିପାରିବେ । ଅଣସେବାୟତଙ୍କୁ ରୋକିବା ପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ଜଗି ରହିଛନ୍ତି ଜଗନ୍ନାଥ ଟେମ୍ପୁଲ ପୋଲିସ ।

ଏବେ ନଜର ପକାନ୍ତୁ ମନ୍ଦିର ଭିତରେ ଦର୍ଶନ ପାଇଁ ହୋଇଥିବା ବ୍ୟବସ୍ଥା ଉପରେ । ଭିତର ବେଢାରେ ସାତ ପାହାଚ ନିକଟ ଗରୁଡସ୍ତମ୍ଭ ପାଖରେ ପଣ୍ଡାଦ୍ୱାର, ମୁଦୁଲି ଦ୍ୱାର, ବାହାର କାଠ, ଜୟବିଜୟ ଦ୍ୱାର, ଭିତର କାଠ ଓ ବେହରଣ ଦ୍ୱାରରେ ୩ ସିଫ୍ଟରେ ୧୫ଜଣ ପ୍ରତିହାରୀ ସେବାୟତ ଶୃଙ୍ଖଳିତ ଦର୍ଶନ ପାଇଁ ନିୟୋଜିତ ହୋଇଛନ୍ତି । ଭିନ୍ନକ୍ଷମଙ୍କ ପାଇଁ ଉତରଦ୍ୱାରରେ ଦର୍ଶନ ବ୍ୟବସ୍ଥା କରାଯାଇଛି । ଅସୁସ୍ଥ ଲୋକ ଏବଂ ୧୦ ବର୍ଷରୁ କମ ଏବଂ ୬୫ ବର୍ଷରୁ ଅଧିକ ଲୋକଙ୍କୁ ଶ୍ରୀମନ୍ଦିରକୁ ନଆସିବା ପାଇଁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ୨୬ ତାରିଖ ସକାଳ ସାଢେ ୭ଟାରୁ ପୁରୀ ବାସୀଙ୍କ ପାଇଁ ଦର୍ଶନ ଆରମ୍ଭ ହେବ । ତେବେ ସହରବାସୀଙ୍କ ପାଇଁ ୱାର୍ଡୱାରୀ ଦର୍ଶନ ବ୍ୟବସ୍ଥା କରାଯାଇଛି । ସହରବାସୀଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ପ୍ରଶାସନ ।

Comments (0)
Add Comment