ଆଜିଠାରୁ ଭକ୍ତଙ୍କ ପାଇଁ ଜଗା ଦୁଆର ବନ୍ଦ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଠାରୁ ମନ୍ଦିର ପ୍ରଶାସନର ନୂଆ ଏସଓପି ଲାଗୁ ହେଲା । ମେ ୧୫ ତାରିଖ ଯାଏ ଏହି ନିୟମ ବଳବତ୍ତର ରହିବ । ଏହି ସମୟରେ ଭକ୍ତ ମାନେ ମନ୍ଦିର ଭିତରକୁ ଯାଇପାରିବେ ନାହିଁ କିନ୍ତୁ ମହାପ୍ରଭୁଙ୍କ ସବୁ ନୀତିକାନ୍ତି ଯଥାରୀତି ଚାଲିବ।
କରୋନାର ଦ୍ୱିତୀୟ ପର୍ଯ୍ୟାୟରେ ସଂକ୍ରମଣ ବଢିଚାଲିଥିବା ବେଳେ ପୁରୀ ଶ୍ରୀମନ୍ଦିରର କିଛି ସେବାୟତ ଓ ମନ୍ଦିର ସହ ସଂପୃକ୍ତ କିଛି ଲୋକ ପଜିଟିଭ ଆସିଥିଲେ । ତେଣୁ ଆଗକୁ ଯେପରି ସଂକ୍ରମଣ ଅଧିକ ନବ୍ୟାପେ ଓ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ନହେବ ଏହାକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଛି । ଆଜିଠୁ ମେ ୧୫ ତାରିଖ ଯାଏ ମହାପ୍ରଭୁଙ୍କ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ ।
ଆସନ୍ତା ୧୫ ତାରିଖ ଠାରୁ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନଯାତ୍ରା ଆରମ୍ଭ ହେବ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପଞ୍ଚୁପାଣ୍ଡଵଙ୍କ ଚଳିତବର୍ଷ ଶ୍ରୀମନ୍ଦିରରୁ ଯାଇ ଚନ୍ଦନ ପୁଷ୍କରିଣୀରେ ଜଳକ୍ରୀଡା କରିବେ ନା ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଶ୍ରୀମନ୍ଦିର ଭିତରେ ଚନ୍ଦନଯାତ୍ରା ଅନୁଷ୍ଠିତ ହେବ । ସେ ସମ୍ପର୍କରେ ଆସନ୍ତା ୬ ତାରିଖ ଦିନ ଏକ ବୈଠକରେ ନିଷ୍ପତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ସେପଟେ ନୟାଗଡ଼ ବନଖଣ୍ଡରୁ ଆଜି ତୃତୀୟ ପର୍ୟ୍ୟାୟରେ ଗୋଟିଏ ରଥକାଠ ବୋଝେଇ ଟ୍ରକ ପୁରୀରେ ଆସି ପହଂଚିଛି । ଏଥିରେ ସମୁଦାୟ ୧୭ଟି କାଠ ରହିଛି । ଚଳିତ ବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ ପୂର୍ବ ବର୍ଷ ୬୯ କାଠ ବଳକା ରହିଛି ।