ଦିଲ୍ଲୀରୁ ଚେତାବନୀ, କାଠଗଡାକୁ ଟାଣିବି !

ଦିଲ୍ଲୀରୁ ଆସିଲା ଚେତାବନୀ । ଅନୁଭବ-ବର୍ଷାଙ୍କ ବ୍ୟକ୍ତିଗତ ମାମଲାରେ ମୋ ନାଁ ଯୋଡୁଛ, ମୋ ପ୍ରତି ଅଶାଳୀନ ମନ୍ତବ୍ୟ ଦେଉଛ । ସୋସିଆଲ ମିଡ଼ିଆରେ ଖରାପ ଭାଷା କହି ମୋ ସମ୍ମାନ ହାନି କରୁଛ । ଜଣେ ମହିଳାଙ୍କୁ ସମର୍ଥନ କରିବାକୁ ଯାଇ ଅନ୍ୟ ଜଣେ ମହିଳାଙ୍କ ବିରୋଧରେ ଖରାପ ଶବ୍ଦ ବ୍ୟବହାର କରିବାକୁ ପଛଘୁଞ୍ଚା ବି ଦଉନା । ସୋସିଆଲ ମିଡ଼ିଆରେ ମୋ ଚରିତ୍ର ସଂହାର କରୁଥିବା ଅଧିକାଂଶ ୟୁଜର୍ସ ବର୍ଷା ପ୍ରିୟଦର୍ଶିନୀଙ୍କ ଫ୍ୟାନ୍ । ଅନେକ କଷ୍ଟ କରି ଏହି ସମ୍ମାନ ମୁଁ ହାତେଇଛି, ତେଣୁ ଆଉ ଚୁପ୍ ବସିବନି । ନିଜର ଏବଂ ପରିବାରର ମାନ ସମ୍ମାନକୁ ଦୃଷ୍ଟିରେ ରଖି ଏବେ ଆଇନର ଆଶ୍ରୟ ନେବି । ସେ ଯେ କେହି ବି ହୁଅନ୍ତୁ ନା କାହିଁକି ମୋ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ବ୍ୟକ୍ତିବିଶେଷ ଓ ଗଣମାଧ୍ୟମ ଅନୁଷ୍ଠାନକୁ କାଠଗଡାକୁ ଟାଣିବି । ସୋସିଆଲ ମିଡ଼ିଆରେ ଏଭଳି ଖୋଲା ଚେତାବନୀ ଦେଇଛନ୍ତି ଖୋଦ ନିଜକୁ ଅନୁଭବଙ୍କୁ ଭଲ ବାନ୍ଧବୀ ବୋଲି କହୁଥିବା ସାମ୍ବାଦିକା ଜାଗୃତି ଶୁକ୍ଳା ।

ତେବେ ଜାଗୃତି ଶୁକ୍ଳା କିଏ ଓ ଅନୁଭବ-ବର୍ଷାଙ୍କ ବିବାଦ ମାମଲାରେ ତାଙ୍କ ନାଁ କାହିଁକି ସୋସିଆଲ ମିଡିଆରେ ସାମ୍ନାକୁ ଆସିଲା ତାହା ଜାଣିବାର ଯଥେଷ୍ଟ ଆବଶ୍ୟକତା ରହିଛି । ଗତ କିଛିଦିନ ପୂର୍ବେ ସାଂସଦ-ସେଲିବ୍ରିଟି ଯୋଡି ଅନୁଭବ-ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲା ସାମ୍ନାକୁ ଆସିଥିଲା । ଏହି ମାମଲା ପଲ୍ଲୀଠୁ ଦିଲ୍ଲୀ ଯାଏଁ ଲମ୍ବିଥିଲା । ସେତେବେଳେ ସୋସିଆଲ ମିଡିଆରେ ଏହି ମାମଲାକୁ ନେଇ ଟ୍ରୋଲର ଶିକାର ହୋଇଥିଲେ ସାଂସଦ ଅନୁଭବ ମହାନ୍ତି । ଉଭୟ ବର୍ଷା-ଅନୁଭବ ପରସ୍ପରକୁ ଦୋଷାରପ କରିଥିବା ବେଳେ ଘର କଳି ଦାଣ୍ଡରେ ପଡି ହାଟରେ ଗଡିଥିଲା । କୋର୍ଟ ଆପୋଷ ବୁଝାମଣା ଭିତରେ ମାମଲାର ସମାଧାନ କରିବାକୁ ଉଭୟ ପକ୍ଷକୁ ପରାମର୍ଶ ଦେଇଥିଲେ । ତେବେ ଏହି ବିବାଦ ତୁଟିନଥିବା ବେଳେ ଅନୁଭବଙ୍କ ଫେସବୁକ ପ୍ରୋଫାଇଲରେ ଦେଖିବାକୁ ମିଳିଥିଲା ଲୋକସଭା ସାମ୍ବାଦିକା ଜାଗୃତିଙ୍କ ଫଟୋ । ଗତ ଧନତେରାସରେ ସମ୍ବଲପୁରୀ ଶାଢୀ ପିନ୍ଧି ଫେସବୁକରେ ଜାଗୃତି ଛାଡିଥିବା ଫଟୋକୁ ସେୟାର କରିଥିଲେ ଅନୁଭବ ।

ଆଉ ଯେତେବେଳେ ୩ ଦିନ ପୂର୍ବେ ଜାଗୃତିଙ୍କ ସହ ଅନୁଭବଙ୍କ ଆଉ ଏକ ଫେସବୁକ ପୋଷ୍ଟ ସମ୍ନାକୁ ଆସିଲା ସେତେବେଳେ ସାଂସଦଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ସରଗରମ ହେଲା । ଅବଶ୍ୟ ଅନୁଭବ ଏହି ପୋଷ୍ଟରେ ଜାଗୃତିଙ୍କୁ ବିପଦର ବନ୍ଧୁ ବୋଲି ପରିଚୟ ଦେଇଥିଲେ । ତେବେ ଜାଗୃତି ଏହାର ପ୍ରତି ଉତ୍ତରରେ ଯେକୌଣସି ପରିସ୍ଥିତି ହେଉ ନା କାହିଁକି ସେ ଅନୁଭବଙ୍କ ସହ ସବୁବେଳେ ରହିବେ ବୋଲି ସୋସିଆଲ ମିଡ଼ିଆରେ ଖୋଲାଖୋଲି କହିଥିଲେ । ଆଉ ଜାଗୃତିଙ୍କ ଏହି ପ୍ରତି ଉତ୍ତରରେ କିନ୍ତୁ ସୋସିଆଲ ମିଡିଆରେ ସାଂସଦଙ୍କ ସମ୍ପର୍କକୁ ନେଇ ଅନେକ ପ୍ରଶ୍ନବାଚୀ ସୃ୍‌ଷ୍ଟି ହେଲା । ସୋସିଆଲ ମିଡ଼ିଆରେ ଅନୁଭବଙ୍କୁ ଟ୍ରୋଲ କରାଯିବା ସହ ଜାଗୃତିଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରିବାକୁ ପଛାଇଲେ ନାହିଁ ୟୁଜର୍ସ ।

ବର୍ଷା ଓ ଅନୁଭବଙ୍କ ଘରୋଇ ବିବାଦରେ ବାରମ୍ବାର ତାଙ୍କ ନାଁ ଯୋଡାଯିବା ଶେଷରେ ଜାଗୃତିଙ୍କ ପାଇଁ ଅସହ୍ୟ ହୋଇଛି । ଯେଉଁଥିପାଇଁ ଜାଗୃତି ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ଶରଣରେ ପଶିଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ସାହାଯ୍ୟ କରିବାକୁ ସେ ଅନୁରୋଧ କରିଛନ୍ତି । ଗୋଟିଏ ପଟେ ସାହାଯ୍ୟ ପାଇଁ ଅନୁରୋଧ କରିଥିବା ଜାଗୃତି ଅନ୍ୟପଟେ କିନ୍ତୁ ସୋସିଆଲ ମିଡ଼ିଆରେ ତାଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଥିବା ୟୁଜର୍ସଙ୍କୁ କାଠଗଡାକୁ ଟାଣିବାକୁ ଚେତାବନୀ ଦେଇଛନ୍ତି । ଏପରିକି ପୋଷ୍ଟର ଶେଷ ଦୁଇ ଧାଡିରେ ଜାଗୃତି ଲେଖିଛନ୍ତି, ସେଲିବ୍ରିଟି ବର୍ଷା ହୁଅନ୍ତୁ ବା ସାଧାରଣ ଲୋକ ଆଇନର ଆଖିରେ ସମସ୍ତେ ସମାନ । ତେବେ ପ୍ରଶ୍ନ ଉଠୁଛି ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ ନେଇ କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଜାଗୃତି । ଦେଶରେ ସେଲିବ୍ରିଟିଙ୍କର ଏତେ ଲମ୍ବା ତାଲିକା ରହିଥିଲେ ମଧ୍ୟ ବର୍ଷାଙ୍କ ନାଁ ନେଇ ଉଦାହରଣ ଦେବା ପଛର କଣ କାରଣ ଲୁଚି ରହିଛି ।

ଏହି ପ୍ରସଙ୍ଗରେ ଉଭୟ ବର୍ଷା ଓ ସାଂସଦ ଅନୁଭବ ମହାନ୍ତି ଏଯାଏଁ ମୁହଁ ଖୋଲିନାହାନ୍ତି । ଏହାସତ୍ତ୍ୱେ ମଧ୍ୟ ସାଂସଦଙ୍କ ପିଛା ଛାଡୁନି ବିବାଦ । ସୋସିଆଲ ମିଡ଼ିଆର ଗୋଟିଏ ଗୋଟିଏ ପୋଷ୍ଟ ଏବେ ସାଂସଦଙ୍କ ପାଇଁ ସଙ୍ଗୀନ ସ୍ଥିତି ସୃଷ୍ଟି କରୁଛି । ଲାଗୁଛି ସତେ ଯେପରି ସାଂସଦଙ୍କ ଗ୍ରହରେ ଏବେ ଶନି ଚକ୍କର ମାରୁଛନ୍ତି । କାରଣ ମୁହଁ ଖୋଲନ୍ତୁ ବା ନ ଖୋଲନ୍ତୁ ସୋସିଆଲ ମିଡ଼ିଆରେ ସାଂସଦଙ୍କ ଚରିତ୍ର ସଂହାର ସହ ୟୁଜର୍ସଙ୍କ ଟ୍ରୋଲର ଶିକାର ହେଉଛନ୍ତି ଅନୁଭବ ।

Comments (0)
Add Comment