ଝରାଫୁଲକୁ ମାରିଲା କିଏ?

ରହସ୍ୟ ଘେରରେ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ । ଝରାଫୁଲଙ୍କ ମୃତ୍ୟୁ କେମିତି ହଲା? ଯାଜପୁରକୁ ତାଙ୍କ ମୃତଦେହ କେମିତି ଆସିଲା ? ତାଙ୍କୁ ହତ୍ୟା କରାଯାଇଛି ନା ତାଙ୍କ ମୃତ୍ୟୁ ପଛରେ ରହିଛି ଆଉ କିଛି କାରଣ? ଏସବୁ ଉପରୁ ପରଦା ଉଠାଇବା ପାଇଁ ପୁଲିସ ଛାନଭିନ ଜାରି ରଖିଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିସାରିଛି ।

ଏହାରି ଭିତରେ ଝରାଫୁଲଙ୍କ ବାପା ରମାକାନ୍ତ ଓ ଭୁବନେଶ୍ୱରରେ ତାଙ୍କ ଲୋକାଲ ଗାର୍ଡିଏନ ଚକ୍ରଧରଙ୍କ ବୟାନ ଘଟଣାକୁ ଭିନ୍ନ ଭିନ୍ନ ଦିଗ ଦେଇଛି। ଭୁବନେଶ୍ୱରରେ ଝରାଫୁଲଙ୍କ ଲୋକାଲ୍ ଗାର୍ଡିଅନ୍ ଥିବା ଚକ୍ରଧର ବେହେରା କହିଛନ୍ତି ଯେ, ତାଙ୍କ ପରିବାର ସହ ଶେଷ ଦୁଇଦିନ କାଟିଥିଲେ ଝରାଫୁଲ । ଚକ୍ରଧର କହିଛନ୍ତି ୨୪ ତାରିଖ ଦିନ ତାଙ୍କ ଘରେ ପହଞ୍ଚିଥିଲେ ଝରାଫୁଲ । ପ୍ରାୟ ୪୦ ଘଣ୍ଟା ତାଙ୍କ ପରିବାର ସହ ହସଖୁସିରେ କାଟିଥିଲେ । କୌଣସି ପ୍ରକାର ମାନସିକ ଚାପ ତାଙ୍କ ଉପରେ ନଥିଲା । ୨୬ ତାରିଖ ଦିନ ୧୧ଟା ୧୫ରେ ଝରାଫୁଲଙ୍କୁ ଝାଡେଶ୍ୱରୀ ନାମକ ବସରେ ବସାଇ ଦେଇଥିଲେ । ଏହା ପରେ ୨୭ ତାରିଖ ସକାଳେ ଯାଜପୁରରୁ ମିଳିଲା ଝରାଫୁଲଙ୍କ ମୃତଦେହ । ଏହାରି ଭିତରେ ଝରାଫୁଲ ତାଙ୍କ ବାପାଙ୍କ ସହ କଥା ହୋଇଛନ୍ତି, ଭାଇଙ୍କ ସହ ହ୍ୱାଟ୍ସଆପ୍ ଚାର୍ଟ କରିଛନ୍ତି । ପେଟ ଖରାପ ଥିବାରୁ ବାଣୀବିହାର ନିକଟରେ ସେ ଓହ୍ଲାଇ ପଡିଥିବା ମଧ୍ୟ ଘରଲୋକଙ୍କୁ କହିଥିଲେ ଝରାଫୁଲ । ହେଲେ କିଛି ସମୟ ପରେ ଫୋନ୍ ସୁଇଚ୍ ଅଫ୍ ହୋଇଥିଲା । ଏପଟେ ଝରାଫୁଲଙ୍କ ସହ ଜଣେ ଯୁବକଙ୍କର ସଂପର୍କ ଥିବା କହିଛନ୍ତି ବାପା ରମାକାନ୍ତ ନାୟକ । ଯାହା ଆଉ ଏକ ଦିଗ ପ୍ରତି ଇଙ୍ଗିତ କରୁଛି ।

ଘଟଣାକୁ ଗୁରତ୍ୱର ସହ ନେଇଛନ୍ତି ରାଜ୍ୟ ମହିଳା କମିସନ୍ ଅଧ୍ୟକ୍ଷା । ଠିକ୍ ଭାବେ ତଦନ୍ତ ପାଇଁ ପୋଲିସ ସହ ଆଲୋଚନା କରିବେ ବୋଲି କହିଛନ୍ତି । ସିସିଟିଭି ଫୁଟେଜରେ ଥିବା ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ । ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଭୁବନେଶ୍ୱର ସୁନ୍ଦରପଦାରେ ରେଡ୍ କରିଛି ଯାଜପୁର ପୋଲିସ । ମୃତଦେହକୁ ଦୁଇଜଣ ସ୍କୁଟିରେ ନେଇ ଯାଉଥିବାର ଦୃଶ୍ୟ ସିସିଟିଭିରୁ ସାମ୍ନାକୁ ଆସିବା ପରେ ଏହି ଆଧାରରେ ଚାଲିଛି ଖୋଳତାଡ

Comments (0)
Add Comment