ରାକେଶ..ରିମାଣ୍ଡ..ରହସ୍ୟ

ରହସ୍ୟ ଘେରରେ ରମାଦେବୀ ଛାତ୍ରୀ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶ ସ୍ୱାଇଁକୁ ତିନିଦିନିଆ ରିମାଣ୍ଡରେ ନେଇ ଗୁଡାଇ ତୁଡାଇ ଜେରା କରୁଛି ପୁଲିସ । ଯାଜପୁର ଦିଆଲଖଣ୍ଡି ଅଂଚଳରେ ସ୍କୁଟିରେ ନେଇ ଯେଉଁଠାରୁ ଝରାଫୁଲଙ୍କ ମୃତଦେହ ଫିଙ୍ଗିଥିଲେ ସେଠାକୁ ରାକେଶକୁ ନିଆଯାଇ ମୃତଦେହ ମିଳିଥିବା ସ୍ଥାନକୁ ଚିହ୍ନଟ କରାଯାଇଛି । ଗାଡି ଭିତରେ ବସି ମୃତଦେହ ପଡିଥିବା ଜାଗାକୁ ଦୂରରେ ଚିହ୍ନଟ କଲା ଅଭିଯୁକ୍ତ । ଅଭିଯୁକ୍ତ ରାକେଶକୁ ପୁଲିସ ଗାଡିରୁ ଓହ୍ଲାଇବାକୁ ଦେଇନଥିଲା ।

ସେପଟେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଓ ଝରାଫୁଲଙ୍କ ବାପାଙ୍କୁ ମୁହାଁମୁହିଁ ବସାଇ ଜେରା କରିଛି ପୁଲିସ । ରାକେଶଙ୍କ ସହ ଝରାଫୁଲଙ୍କ ସଂପର୍କ କଣ? ଝରାଫୁଲଙ୍କ ମୋବାଇଲରୁ ସୋନାଲୀ ନାଁରେ ରାକେଶ ମେସେଜ କରିଥିଲେ କି? ଝରାଫୁଲଙ୍କ ପାଟିରୁ ଫେଣ କେତେବେଳେ ବାହାରିଥିବା ସେ ଦେଖିଥିଲେ?ଝରାଫୁଲଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ଲୋକଙ୍କୁ କାହିଁକି ଜଣାଇନଥିଲେ ? ଏହିପରି ଅନେକ ପ୍ରଶ୍ନ ପୁଲିସ ଝରାଫୁଲଙ୍କ ବାପା ଓ ରାକେଶକୁ ସାମନା ସାମନି ବସାଇ ପଚାରିଥାଇପାରେ । ସେଦିନ ଝରାଫୁଲ ସାଥିରେ କ’ଣ ଘଟିଥିଲା ଏନେଇ ରାକେଶକୁ ଜେରା କରୁଛନ୍ତି ଏସଡିପିଓ ।

ଜିଲ୍ଲା ଦୌରାଜଜଙ୍କ କୋର୍ଟ ଅଭିଯୁକ୍ତ ରାକେଶକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେବା ପରେ ରାକେଶକୁ ଆଣିବା ପାଇଁ ଯାଜପୁର ସବଜେଲରେ ପହଂଚିଥିଲା କୁଆଖିଆ ପୋଲିସ । ରାକେଶକୁ କଡ଼ା ସୁରକ୍ଷା ଭିତରେ ଅଣାଯାଇଥିଲା । ପ୍ରଥମେ ରାକେଶର ଯାଜପୁର ମେଡ଼ିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହା ପରେ ମାମଲାର ତଦନ୍ତ ଅଧିକାରୀ ଯାଜପୁର ରୋଡ଼ ଏସଡିପିଓ ରାକେଶକୁ ଜେରା କରିଥିଲେ । ଆବଶ୍ୟକ ପଡିଲେ ରାକେଶକୁ ଭୁବନେଶ୍ୱର ଆଣି ଶିବସାଇ ଗେଷ୍ଟ ହାଉସରେ ସିନ୍ ରି-କ୍ରିଏସନ କରିପାରେ ପୋଲିସ । ସେପଟେ ରାକେଶର ସହଯୋଗୀକୁ ଗିରଫ କରିବାକୁ ଦାବି କରିଛନ୍ତି ଝରାଫୁଲର ବାପା । ରାକେଶଓ ତାର ସହଯୋଗୀ ଝରାଫୁଲର ମୃତଦେହକୁ ସ୍କୁଟିରେ ନେଇ ଫିଙ୍ଗିଥିଲେ । ତେଣୁ ତାଙ୍କୁ ଗିରଫ କଲେ ସତ୍ୟ ପଦାକୁ ଆସିବ ବୋଲି ଝରାଫୁଲର ବାପା କହିଛନ୍ତି ।

Comments (0)
Add Comment