ରୁମ୍ ନଂ ୨୦୧…କ’ଣ ଘଟିଥିଲା ସେଦିନ ରାତିରେ?

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ସମୟ ଯେତିକି ବଢୁଛି ସନ୍ଦେହ ସେତିକି ଘନୀଭୂତ ହେବାରେ ଲାଗିଛି । ନୂଆ ନୂଆ ଭିଡିଓ ଆସୁଛି, ହେଲେ ମୃତ୍ୟୁ ରହସ୍ୟ ଉପରୁ ପରାଦା ଉଠିପାରୁନି । ପୁରୁଷ ବନ୍ଧୁ ରାକେଶ ସ୍ୱାଇଁଙ୍କୁ ଗିରଫ ପରେ କିଛି ଘଟଣାକୁ ନେଇ ତଦନ୍ତ ଜୋରଦାର କରିଛି ପୁଲିସ । ଝରାଫୁଲ ରାତ୍ରିଯାପନ କରିଥିବା ଶିବସାଇ ଗେଷ୍ଟ ହାଉସରେ ପହଚିଂ ପୁଲିସ ଛାନଭିନ କରିଛି । ସେପଟେ ଅଧିକ ସତ ଜାଣିବାକୁ ରାକେଶ ସ୍ୱାଇଁଙ୍କୁ ୫ ଦିନଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୁଲିସ ।

ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇବାକୁ ତନାଘନା ଆରମ୍ଭ କରିଛି ପୁଲିସ । ଝରାଫୁଲ ଓ ରାକେଶ ସ୍ୱାଇଁ ରାତ୍ରିଯାପନ କରିଥିବା ଶିବସାଇ ଗେଷ୍ଟ ହାଉସରେ ପହଚିଂ ରୁମ୍ ନମ୍ବର ୨୦୧କୁ ସିଲ୍ କରିଛି ପୋଲିସ । ପ୍ରାୟ ୨ ଘଣ୍ଟା ଧରି ଗେଷ୍ଟ ହାଉସର ସେହି ରୁମରେ ଯାଜପୁର ପୋଲିସ ସହ ଫରେନସିକ୍ ଟିମ୍ ମଧ୍ୟ ଛାନଭିନ୍ କରିଛି । ବ୍ୟବହୃତ ବେଡସିଟକୁ ମଧ୍ୟ ଜବତ କରାଯାଇଛି । ସିସିଟିଭି ଫୁଟେଜ, ରେଜିଷ୍ଟରକୁ ଯାଂଚ କରାଯାଇଛି । ୨୬ ତାରିଖ ଦିନ ରାତିରେ ଝରାଫୁଲ ସେହି ରୁମରେ ରାତ୍ରିଯାପନ କରିଥିଲେ ।

ସେପଟେ ଝରାଫୁଲଙ୍କ ଆଉ ଏକ ସିସିଟିଭି ଫୁଟେଜ ମିଳିଛି ।୨୬ ତାରିଖ ଦିନ ଭୁବନେଶ୍ୱରର ଏକ ପାଷ୍ଟଫୁଡ ଦୋକାନରେ ଝରାଫୁଲ ଓ ତାଙ୍କ ପୁରୁଷବନ୍ଧୁ ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ବିରିଆନୀ ଖାଇବା ପରେ ଝରାଫୁଲ ଅସୁସ୍ଥ ହୋଇ ବାନ୍ତି କରିଥିଲେ । ଖାଇବା ଅଧାରୁ ଝରାଫୁଲ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ସେଠାରେ ସେ ବାନ୍ତି ମଧ୍ୟ କରିଥିଲେ । ଫଳରେ ଅଧା ଖାଇବାରୁ ଉଠି ଆସିଥିଲେ ଉଭୟ ଝରାଫୁଲ ଓ ରାକେଶ । ଗୋଟିଏ ଦୃଶ୍ୟରେ ଝରାଫୁଲ ସ୍କୁଟିରେ ଏକାକୀ ହେଲମେଟ୍ ପିନ୍ଧି ବସିଥିବା ବେଳେ, ହୋଟେଲ ଭିତରେ ରାକେଶ ଓ ସେ ଖାଇବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

ଝରାଫୁଲଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଏବେ ବି ରହସ୍ୟ ଘେରରେ ରହିଛି ।ଏପର୍ୟ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିନଥିବା ବେଳେ ରାକେଶକୁ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ ।

Comments (0)
Add Comment