ଝରାଫୁଲଙ୍କ ମୃତ୍ୟୁ କାହାଣୀ

ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ? ତାହା ଏବେ ବି ରହସ୍ୟ ଘେରରେ । ମୃତଦେହ ମିଳିବାର ତିନି ଦିନ ପରେ ବି ମୃତ୍ୟୁ ଉପରୁ ପରଦା ଉଠାଇବାକୁ ତନାଘନା ଚଳାଇଛି ପୁଲିସ । ପୂର୍ବରୁ ଦୁଇ ଜଣ ଯୁବକ ଝରାଫୁଲକୁ ସ୍କୁଟିରେ ନେଇକି ଯାଉଥିବାର ଏକ ସିସିଟିଭି ଫୁଟେଜ ମିଳିଥିଲା । ଏବେ ଆଉ ଏକ ସିସିଟିଭି ଫୁଟେଜ ପୁଲିସ ହାତରେ ଲାଗିଛି । ମୃତ୍ୟୁ ପୂର୍ବରୁ କେଉଁଠି ରାତି କାଟିଥିଲେ ଝରାଫୁଲ ତାହା ଏବେ ସାମନାକୁ ଆସିଛି ।

୨୬ ତାରିଖର ରାତିର ସତ କ’ଣ ? ଝରାଫୁଲ ମଲା କେମିତି? ଏନେଇ ଛାନଭିନ ଚାଲିଥିବା ଗିରଫ ଅଭିଯୁକ୍ତ ରାକେଶ ସ୍ୱାଇଁ ପୋଲିସ ଆଗରେ ବଖାଣିଛି ଝରାଫୁଲର ଶେଷ ରାତିର କାହାଣୀ । ରାକେଶର କହିବା ଅନୁସାରେ, ମୃତ୍ୟୁର ପୂର୍ବ ରାତିରେ ତା ସହ ଭୁବନେଶ୍ୱର ଖଣ୍ଡଗିରି ଧର୍ମବିହାର ଅଞ୍ଚଳର ଶିବଶାଇ ଗେଷ୍ଟ ହାଉସରେ ଥିଲେ ଝରାଫୁଲ । ଗତ ୨୬ ତାରିଖ ଦିନ ୧୧ଟା ବେଳେ ଝରାଫୁଲ ଯଶୀପୁର ଯିବା ଲାଗି ଝାଡେଶ୍ୱର ବସରେ ଚଢିଥିଲେ । ହେଲେ ପରେ ବାଣୀବିହାର ଛକରେ ଓହ୍ଲାଇ ପଡିଥିଲେ । ସେଠାରୁ ସେ ଚାଲିଚାଲି ରୁପାଲି ଛକ ଯାଏଁ ଯାଇଥିଲେ । ସେଠାରେ ଅପେକ୍ଷା କରି ରହିଥିବା ରାକେଶ ତାଙ୍କୁ ସ୍କୁଟିରେ ବସାଇ ବୁଲାବୁଲି କରିବା ପରେ ରାଜଧାନୀର ଧର୍ମବିହାରରେ ଥିବା ଗେଷ୍ଟହାଉସକୁ ନେଇଯାଇଥିଲେ । ଗେଷ୍ଟହାଉସରେ ଉଭୟ ରାତି ବିତାଇବାକୁ ମନସ୍ଥ କରିଥିଲେ । ଝରାଫୁଲଙ୍କର ପେଟ ସମସ୍ୟା ରହିଥିଲା । ଏ ସଂପର୍କରେ ରାକେଶଙ୍କୁ ମଧ୍ୟ ପୂର୍ବରୁ ଜଣାଥିଲା । ସକାଳୁ ଉଠି ଦେଖିଥିଲେ ଝରାଫୁଲଙ୍କ ପାଟିର ଫେଣ ବାହାରିଛି । ପାଟିରୁ ଫେଣ ବାହାରୁଥିବା ଦେଖି ସେ ଭୟଭୀତ ହୋଇପଡିଥିଲେ । ଏହାପରେ ବନ୍ଧୁ ଶେଖରଙ୍କୁ ଡାକି ସ୍କୁଟରରେ ବସାଇ ଝରାଫୁଲଙ୍କୁ କଟକ ବଡ଼ ମେଡିକାଲକୁ ନେଇଥିଲେ ରାକେଶ । ହେଲେ ଝରାଫୁଲ ଅଚେତ ହୋଇପଡିଥିବା କଥା ବନ୍ଧୁଙ୍କୁ କହିନଥିଲେ ରାକେଶ । ବଂର ଅସୁସ୍ଥ ହୋଇଥିବାରୁ ହସ୍ପିଟାଲ ନେବା କଥା କହିଥିଲେ । କଟକରୁ ଆଗକୁ ଚାଲିଯିବା ପରେ ବନ୍ଧୁଙ୍କ ସନ୍ଦେହ ହେଲା । ପରେ ଘରେ ନେଇ ଛାଡିଦେବେ ବୋଲି ବନ୍ଧୁଙ୍କୁ କହିଥିଲେ । ଯାଜପୁର କୁଆଖିଆ ନିକଟରେ କିଛି ଲୋକଙ୍କର ସନ୍ଦେହ ହେବାରୁ ଝରାଫୁଲଙ୍କ ମୃତ୍ୟୁ ହୋଇଥିବା ବନ୍ଧୁଙ୍କୁ ଜଣାଇବା ସହ ମୃତଦେହକୁ ଧରି ରାସ୍ତାକଡ଼ରେ ଫିଙ୍ଗି ଦେଇ ପଳାଇ ଆସିଥିଲେ ।

ଶିବସାଇ ଗେଷ୍ଟ ହାଉସର ସିସିଟିଭି ଚିତ୍ରରୁ ଜଣାପଡିଛି ଯେ, ଗତ ୨୬ ତାରିଖ ରାତିରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ଝରାଫୁଲ ସେଠାରେ ରହିଥିଲେ । ଏହା ପରେ ୨୭ ତାରିଖ ସକାଳେ ଗେଷ୍ଟ ହାଉସରୁ ଝରାଫୁଲକୁ ଏକ ସ୍କୁଟିରେ ନେଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ଥିଲେ ଆଉ ଜଣେ ଯୁବକ । ସିସିଟିଭି ହାର୍ଡଡିସ୍କକୁ ପୁଲିସ ଜବତ କରି ଭିଡିଓ ଫୁଟେଜ ଆଧାରରେ ତଦନ୍ତ ଚଳାଇଛି ।

Comments (0)
Add Comment