ଜମୁଛି ନାଚ, ଗୀତର ଆସର । ସଂକୀର୍ତନ ସାଂଗକୁ ଧୂଆଁରେ ଉଡୁଛି ଗଂଜେଇ ଚିଲମ । ପୁରା ରଂଗୀନ ମୁଡରେ ସମସ୍ତେ ।ଏହା କୌଣସି ବାହାରର ଚିତ୍ର ନୁହେଁ ଏ ଦୃଶ୍ୟ ହେଉଛି ଏକ ଜେଲ ପରିସରର । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଜେଲ୍ର ଚାରିକାନ୍ଥ ଭିତରେ ଚାଲିଛି ମଉଜ ମସ୍ତି। କରୋନା କଟକଣାକୁ ଫୁ ସହ ସାମାଜିକ ଦୂରତା ନିୟମର ଖୋଲାଖୋଲି ହୋଇଛି ଉଲ୍ଲଘଂନ । ଆଉ ଖୋଦ୍ ରାଜଧାନୀ ଭୁବନେଶ୍ୱର ଝାରପ଼ଡ଼ା ଜେଲର ଏହି ଭାଇରାଲ ଭିଡିଓ ହୋଇଥିବା ଜଣାପଡିଛି ।
ଗୋଟେ ପଟେ ଜେଲରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ଅନ୍ୟପଟେ କିଭଳି ସମସ୍ତେ କରୋନା କଟକଣାକୁ ଫୁ କରି ମଉଜ ମସ୍ତି କରିଛନ୍ତି ତାର ଝଲକ ଦେଖିବାକୁ ମିଳିଛି । ତେବେ ଏଠି ପ୍ରଶ୍ନ ଉଠୁଛି , ଜେଲ ଭିତରୁ ଗଂଜେଇ ଗଲା କେମିତି? ଆଉ ମୋବାଇଲ ଆସିଲା କେଉଁଠି? କଡ଼ାକଡ଼ି ଯାଂଚ ପରେ ବି ଗଂଜେଇ କିଭଳି ଯାଉଛି ତାକୁ ନେଇ ପ୍ରଶ୍ନ ଉଠୁଛି । ବାରମ୍ବାର ଜେଲ ଭିତରେ ଏପରି ଘଟଣା ଘଟୁଛି । ତେବେ କଡା ସୁରକ୍ଷା ମଧ୍ୟରେ ଏଭଳି ବେଆଇନ କାମ ଜେଲ ଭିତରେ କେମିତି ହେଉଛି ? ଏହାପଛରେ କେଉଁ ଜେଲ କର୍ତୃପକ୍ଷଙ୍କ ହାତ ରହୁଛି କି? ସେପଟେ ଜେଲ ବିଭାଗ କହିଛି , ଭିଡ଼ିଓକୁ ନେଇ ତଦନ୍ତ ଚାଲିଛି । ଏହା ପୁରୁଣା ଭିଡ଼ିଓ ହୋଇଥାଇପାରେ ।
ଜେଲ ଭିତରର ୩ଟି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଗୋଟିଏ ଭିଡିଓ ରେ ୨ଜଣଙ୍କ ଠାରୁ ଟଙ୍କା ନେଇ କିଛି ଜିନିଷ ଦେଉଥିବା ଜଣାପଡ଼ିଛି । ଯଦିଓ ଭିଡ଼ିଓଟି କେବେ ସୁଟିଂ ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ, ତେବେ ଗତମାସ ପଣା ସଂକ୍ରାନ୍ତିରେ ଏଭଳି ନାଚଗୀତର ଆସର ହୋଇଥିବା ସନ୍ଦେହ କରାଯାଉଛି । କିଛି ଦିନ ତଳେ ଅପରେସନ କ୍ଲିନ୍-ଅପରେ ଚଢାଉ ବେଳେ ୧୩ଟି ମୋବାଇଲ ଜବତ କରିଛି ଜେଲ ବିଭାଗର ସ୍ୱତନ୍ତ୍ର ଟିମ୍ ।
ତେବେ ଜେଲ୍ ସୁରକ୍ଷା କର୍ମୀଙ୍କ ବିନା ସହଯୋଗରେ ତଥା ଜାଣତରେ ମାଦକ ଦ୍ରବ୍ୟ, ମୋବାଇଲ ଫୋନ୍ ଆଦି ଭିତରକୁ ଯିବା, ଜେଲ୍ରେ ଆସର ଜମିବା ଆଦି ଅସମ୍ଭବ ମନେ ହେଉଛି । ତେବେ ରାଜଧାନୀର ଜେଲ ଭିତରେ ଯଦି ଏପରି ବେଆଇନ କାମ ଘଟୁଛି, ତେବେ ଅନ୍ୟ ଜେଲରେ ସ୍ଥିତି କ’ଣ ଥିବ ?