ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ

ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ କାର୍ୟ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଆଉ ଏଭଳି ଏକ ଦୁଃଖଦ ଖବର କଳାହାଣ୍ଡି ଜିଲ୍ଲାର ମାଓ ଅଧ୍ୟୁଷିତ ମଦନପୁର ରାମପୁର ଅଞ୍ଚଳରୁ ଆସିଛି । ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରି ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳ ଆଜି ଦୁଲେନ କରଲାର୍ଖୁଣ୍ଟା ବ୍ରିଜରେ ମାଓବାଦୀଙ୍କ ପୋଷ୍ଟର ଲାଗି ଥିବାର ଖବର ପାଇ ଘଟଣାସ୍ଥଳକୁ ଯାଇଥିଲେ । ଆଉ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ହିଁ ରାସ୍ତାରେ ବଡ ବିସ୍ଫୋରଣ ହୋଇଥିଲା । ମୁହଁ ଓ ଶରୀରର ଅନ୍ୟ ଅଙ୍ଗରେ ଗଭୀର ଆଘାତ ଲାଗିଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା ।
ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ କୌଣସି ସାମ୍ବାଦିକ ମୃତ୍ୟୁ ବରଣ କରିବା ଏହା ରାଜ୍ୟରେ ପ୍ରଥମ । ଏଠାରେ ସୂଚନା ଯୋଗ୍ୟ ଯେ, ମାଓବାଦୀ ମାନେ ଆଜି ଏହି ସ୍ଥାନରେ ଭୋଟ ବର୍ଜନ କରିବାକୁ ପୋଷ୍ଟର ମାରିଥିଲେ । ଏହାସହ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଥିବା ପୋଲିସ ଓ ସିଆରପିଏଫ କ୍ୟାମ୍ପକୁ ତୁରନ୍ତ ଉଠାଇବାକୁ ଦାବି କରିଥିଲେ । ବିସ୍ଫୋରଣ ପରେ ଘଟଣାସ୍ଥଳରେ ସିଆରପିଏଫ ଓ ପୋଲିସ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ପୂରା ଅଞ୍ଚଳକୁ ଘେରାଉ କରି ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ସୁରକ୍ଷାକର୍ମୀ ।

Comments (0)
Add Comment