ପୁଣି ଆସିଲା କାଳିଆ ଟଙ୍କା । ପଂଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଫୋକସରେ ଚାଷୀ । ଚାଷିଙ୍କ ଆକାଉଂଟକୁ ଯାଇଛି ତୃତୀୟ କିସ୍ତି କାଳିଆ ଟଙ୍କା । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାୟ ୫୧ଲକ୍ଷ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେଇ ଚୁପ୍ ବସିଥିବା ରାଜ୍ୟ ସରକାର ହଠାତ୍ ଚେଇଁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ କାଳିଆ ଯୋଜନାରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଛନ୍ତି ।
କାଳିଆ ଯୋଜନାରେ ରାଜ୍ୟର ୫୩ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ୨୦୦୦ ଟଙ୍କା ଲେଖାଏଁ ଜମା ହୋଇଛି । ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଡିବିଟି ଜରିଆରେ ୫୩ ଲକ୍ଷ ଚାଷୀଙ୍କୁ ଦୁଇ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟ୍ରାନ୍ସଫର କରାଯାଇଛି ।
ଚାଷୀଙ୍କୁ କୃଷି ଆନୁସଙ୍ଗିକ କାର୍ୟ୍ୟରେ ସହାୟତା କରିବା ଲାଗି ୨୦୧୯ ମସିହାରେ କାଳିଆ ଯୋଜନା ଆରମ୍ଭ ହୋଇଥିଲା । ଜାତୀୟ ସ୍ତରରେ ଏହି ଯୋଜନା ଏକ ଆଦର୍ଶ ଯୋଜନା ହୋଇପାରିଛି । ବିଶ୍ୱବ୍ୟାଙ୍କ ତଥ୍ୟ ଅନୁଯାୟୀ କାଳିଆ ଯୋଜନା କାର୍ୟ୍ୟକାରୀ ହେବା ପରେ ପୂର୍ବ ବର୍ଷ ଅପେକ୍ଷା ଚାଷୀ ମାନଙ୍କ ଋଣ ଭାର ଅପେକ୍ଷାକୃତ କମିପାରିଛି । ୨୦୧୯ ଜାନୁଆରୀ ୨୬ ତାରିଖରେ ୫୧ ଲକ୍ଷ ଚାଷୀଙ୍କୁ ପ୍ରଥମ କସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରିଥିଲେ ରାଜ୍ୟ ସରକାର। ଦ୍ବିତୀୟ କିସ୍ତି ନଭେମ୍ବର ମାସରେ ଯାଇଥିଲା । ସେପଟେ କାଳିଆ ଯୋଜନାରେ ସହାୟତା ପ୍ରଦାନକୁ ନେଇ ଆପତ୍ତି ଉଠାଇଛି ବିଜେପି । ଯଦି ରାଜ୍ୟ ପାଖରେ ୫୩ ଲକ୍ଷ ଚାଷୀଙ୍କ ତାଲିକା ଅଛି, ତାହାଲେ କେନ୍ଦ୍ରକୁ ଦେଉନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛି ।