ବହୁଚର୍ଚ୍ଚିତ ହିଜାବ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ହିଜାବ ନିଷିଦ୍ଧ ନେଇ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଛାତ୍ରୀମାନଙ୍କ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରି କହିଛନ୍ତି ଯେ ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ । ସ୍କୁଲ-କଲେଜର ଛାତ୍ରୀମାନେ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେ ନାହିଁ । ଇସଲାମରେ ହିଜାବ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି କୋର୍ଟ କହିଛନ୍ତି ।
ମୁଖ୍ୟ ବିଚାରପତି ଜଷ୍ଟିସ ରୀତୁରାଜ ଅଓ୍ୱସ୍ତି, ଜଷ୍ଟିସ କ୍ରିଷ୍ଣା ଏସ. ଦୀକ୍ଷିତ ଓ ଜଷ୍ଟିସ ଜେ.ଏମ ଖାଜିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ରାୟ ଶୁଣାଇଛନ୍ତି ।ହିଜାବ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ଓ ଅନ୍ୟାନ୍ୟ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି । ରାଜଧାନୀ ବେଙ୍ଗାଲୁରୁରେ ଜନ ସମାଗମକୁ ନିଷିଦ୍ଧ କରାଯାଇଥିବାବେଳେ କର୍ଣ୍ଣାଟକରେ ସ୍କୁଲ କଲେଜ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିଲା । ଗତମାସରେ ହିଜାବ ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ଜୋରଦାର ଆନ୍ଦୋଳନ ହୋଇଥିବାବେଳେ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ହୋଇଥିଲା ବଳ କଷାକଷି । ରାଜ୍ୟର ଶିକ୍ଷା ପ୍ରତିଷ୍ଠାନରେ ହିଜାବ ନିଷିଦ୍ଧ କରାଯିବା ନେଇ ନିଷ୍ପତ୍ତି ବିରୋଧରେ ଉଡ଼ୁପିର କେତେକ ଛାତ୍ରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶିକ୍ଷା ପ୍ରତିଷ୍ଠାନରେ ହିଜାବ ନିଷିଦ୍ଧ କରିବା ନେଇ କୌଣସି ଆଇନ ନାହିଁ ବୋଲି ସେମାନେ ଦର୍ଶାଇଥିଲେ ।