କୃଷି ଆଇନକୁ ଚିରିଦେଲେ କେଜରିୱାଲ

ଚାଷୀମାନେ କୃଷି ଆଇନ ନେଇ ପଛକୁ ହଟିବାକୁ ପ୍ରସ୍ତୁତ ନଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ନିଜ ଜିଦରେ ଅଟଳ । ଏହାରି ଭିତରେ କୃଷି ଆଇନକୁ ଦେଇ ଦିଲ୍ଲୀ ବିଧାନସଭାରେ ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି । କୃଷି ଆଇନକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ଦିଲ୍ଲୀ ବିଧାନସଭାରେ ନୂଆ କୃଷି ଆଇନକୁ ପ୍ରବଳ ବିରୋଧ କରାଯାଇଛି ।କେବଳ ସେତିକି ନୁହେଁ ବିଧାନସଭା ମଧ୍ୟରେ ନୂଆ କୃଷି ଆଇନର କପିକୁ ଚିରି ଦେଇଛନ୍ତି ଅରବିନ୍ଦ କେଜରିଓ୍ବାଲ ।

ଦିଲ୍ଲୀ ବିଧାନସଭାରେ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୃହରେ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେଜରିଓ୍ବାଲ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ବିବାଦିୟ କୃଷି ବିଲର ପ୍ରତୀକ ଚିରିଛନ୍ତି । ଏହା ସହ କହିଛନ୍ତି କି ବ୍ରିଟିସ ମାନଙ୍କ ଠାରୁ ଆହୁରି ନିର୍ଦ୍ଦୟ ହୁଅ ନାହିଁ କେନ୍ଦ୍ରସରକାର । ଦିଲ୍ଲୀ ବିଧାସଭାର ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାରଙ୍କୁ କଡା ଟିପ୍ପଣୀ ଦେଇ ସେ କହିଛନ୍ତି କି କରୋନା ମହାମାରୀ ସମୟରେ ଏଭଳି ଆଇନ ପାରିତ କରିବାର କ’ଣ ଆବଶ୍ୟକତା ଥିଲା ।

କେଜରିଓ୍ବାଲ କହିଛନ୍ତି, ସରକାର ଆଉ କେତେ ଜୀବନ ନେବେ? ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଚାଷୀଙ୍କ ଜୀବନ ଯାଇସାରିଲାଣି । ପ୍ରତ୍ୟେକ ଚାଷୀ ଜଣେ ଜଣେ ଭଗତ ସିଂ ଭାବେ ଆନ୍ଦୋଳନ ଜାରି ରଖିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ବକ୍ତବ୍ୟକୁ ସମାଲୋଚନା କରି କେଜରିଓ୍ବାଲ କହିଛନ୍ତି, ଯୋଗୀ ଆଦିତ୍ୟନାଥ ବରେଲୀର ଏକ ରାଲିରେ କହିଛନ୍ତି ତିନୋଟି ଯାକ କୃଷି ବିଲ ଚାଷୀଙ୍କ ସୁବିଧା ପାଇଁ ଅଣାଯାଇଛି । ତେବେ ଏହାକୁ ନେଇ କେଜରିଓ୍ବାଲ ପ୍ରଶ୍ନ କରିଛନ୍ତି ଯେ, ଭାଜପା କହିପାରିବ କି ଏହି ଆଇନରେ ଚାଷୀଙ୍କ ଫାଇଦା କଣ?

ଆଉ କେତେ କୃଷକଙ୍କ ଜୀବନ ନେବା ପରେ କେନ୍ଦ୍ରସରକାର କୃଷକ ମାନଙ୍କ ଦାବି ଶୁଣିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ୧୯୦୭ ମସିହାରେ ଏଭଳି ଆନ୍ଦୋଳନ ହୋଇଥିଲା । ଯାହାର ନାମ ଥିଲା ପଗଡି ସମ୍ଭାଲ ଜଟା । ଏହି ଆନ୍ଦୋଳନ ଇଂରେଜ ମାନଙ୍କ ବିରୋଧରେ ୯ ମାସ ପର‌୍ୟ୍ୟନ୍ତ ଚାଲିଥିଲା । ଏହି ଆନ୍ଦୋଳନର ନେତୃତ୍ୱ ଭଗତ ସିଂଙ୍କ ପିତା ଓ ତାଙ୍କର ଦାଦା ନେଇଥିଲେ । ସେହି ସମୟରେ ଇଂରେଜ ସରକାର ବି କହିଥିଲେ ଏହି ଆଇନରେ କିଛିଟା ପରିବର୍ତ୍ତନ କରିଦେବୁ । ହେଲେ କୃଷକ ମାନେ ଜିଦ ଧରିଥିଲେ କି ସମ୍ପୁର୍ଣ୍ଣ ଆଇନ ପ୍ରତ୍ୟାହାର କରାଯାଉ । ଆଜି ଦେଶ ଇଂରେଜ ମାନଙ୍କ ଠାରୁ ମୂୁକ୍ତି ପାଇଛି । ହେଲେ ଏବେର ସରକାର ଇଂରେଜ ମାନଙ୍କ ଭଳି ସମାନ ଢଙ୍ଗରେ କୃଷକ ମାନଙ୍କ ସହିତ ଲଢୁଛନ୍ତି ।

Comments (0)
Add Comment