କେନ୍ଦ୍ରାପଡା ସାଂସଦଙ୍କ କଟକ ପ୍ରେମ !


କେନ୍ଦ୍ରାପଡା ସାଂସଦଙ୍କ କଟକ ପ୍ରେମ । ଏକଥା ଆମେ ଏମିତି କହୁନୁ, ବରଂ କିଛି ଫଟୋ ସାମ୍ନାକୁ ଆସିବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । କେନ୍ଦ୍ରାପଡା ସାଂସଦ କହିଲେ, ପାଠକ ମାନେ ବୁଝି ସାରିଥିବେ ଯେ ଆମେ କଥା କହୁଛୁ । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ସଂସଦର ବଜେଟ ଅଧିବେଶନ ପରେ ସଜ ସଜ ସେ ଓଡ଼ିଶା ଫେରିଛନ୍ତି । କିନ୍ତୁ ନିଜ ନିର୍ବାଚନମଣ୍ଡଳୀ କେନ୍ଦ୍ରାପଡା ନ ଯାଇ କଟକରେ ଡେରା ପକାଇଛନ୍ତି ଅନୁଭବ । କଟକରେ କ୍ରିକେଟ ଖେଳର ମଜା ନେଉଛନ୍ତି ଅଥଚ କେନ୍ଦ୍ରାପଡା ଯିବାକୁ ସମୟ ବାହାର କରିପାରୁନାହାନ୍ତି ସାଂସଦ ଅନୁଭବ । ତେବେ ବିଜେଡିର ଅନ୍ଦରମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, କେନ୍ଦ୍ରାପଡାର ସ୍ଥାନୀୟ ନେତା ଅନୁଭବଙ୍କୁ ଆଉ ପାଖ ପୂରାଇ ଦେଉନାହାନ୍ତି । ଆଉ ଏହା ପଛର କାରଣ ବର୍ଷା-ଅନୁଭବ ବିବାଦ ।

କରୋନା ମହାମାରୀ ସମୟରେ ପତ୍ନୀ ବର୍ଷାଙ୍କ ସହ ଛାଡପତ୍ର ମାମଲାକୁ ନେଇ ବିବାଦ ଘେରକୁ ଟାଣି ହୋଇ ଆସିଥିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଏପରିକି କେନ୍ଦ୍ରାପଡାରେ ମଧ୍ୟ ଅନୁଭବଙ୍କୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଆଉ ବୈଜୟନ୍ତଙ୍କୁ ହରାଇ ଅନୁଭବ ଦଳ ଭିତରେ ଯେଉଁଭଳି ପତିଆରା ବିସ୍ତାର କରୁଥିଲେ ସେଥିରେ ବ୍ରେକ ଲଗାଇଥିଲା ବର୍ଷାଙ୍କ ସହ ବିବାଦ । ଆଉ ଏହି ବିବାଦ ଅନୁଭବଙ୍କ ଉଜ୍ଜଳ ରାଜନୀତି କ୍ୟାରିୟରରେ କଳାବାଦଲ ହୋଇ ଘୋଟି ଆସିଲା । ଯାହାର ପରିଣତି ଅନୁଭବଙ୍କୁ ପରବର୍ତ୍ତୀ ସମୟରେ ଭୋଗିବାକୁ ପଡିଛି ।

ବର୍ଷାଙ୍କ ସହ ଛାଡପତ୍ର ବିବାଦ ପରେ ବିଜେଡିରେ ଏକପ୍ରକାର କୋଣଠେସା ହୋଇ ରହିଛନ୍ତି ଅନୁଭବ । ଏପରିକି ଏହି ବିବାଦ ପରେ ଦଳୀୟ ନେତା ମଧ୍ୟ ଅନୁଭବଙ୍କ ଠାରୁ ଦୂରଛଡା ଦେବା ଆରମ୍ଭ କରିଛନ୍ତି । ସେଲିବ୍ରେଟି ନେତା ଭାବେ ଅନୁଭବଙ୍କର ଦଳରେ ଯେଉଁ କ୍ରେଜ ରହିଥିଲା ସେଥିରେ ମଧ୍ୟ ବିରାମ ଲାଗିଛି । ଯାହାର ଝଲକ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଦେଖିବାକୁ ମିଳିଥିଲା । ଦଳର ଷ୍ଟାର କ୍ୟାମ୍ପେନର ତାଲିକାରୁ ପ୍ରଥମ ଥର ପାଇଁ ଅନୁଭବଙ୍କୁ ବାଦ୍ ଦିଆଯାଇଥିଲା । ଏହି ବିବାଦ ପରେ ବିଜେଡିର ରାଜ୍ୟ ନେତୃବୃନ୍ଦ ଅନୁଭବଙ୍କ ହାତ ଛାଡି ଦେଇଥିବା ବେଳେ ଜିଲ୍ଲା ନେତୃବୃନ୍ଦ ମଧ୍ୟ ପାଖ ପୂରାଇ ଦେଉନଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଆଉ ଏହାର ଝଲକ ନୂଆବର୍ଷର ଶୁଭେଚ୍ଛା ବ୍ୟାନରରେ ଦେଖିବାକୁ ମିଳିଥିଲା । କାଁ ଭାଁ କେଉଁଠି ଛାଡିଦେଲେ ଜିଲ୍ଲାର ବଡ ଚେହେରା କୁହାଯାଉଥିବା ନେତାଙ୍କ ପୋଷ୍ଟରରେ ଅନୁଭବଙ୍କୁ ବାଦ୍ ଦିଆଯାଇଥିବା ଦେଖିବାକୁ ମିଳିଥିଲା । ଲାଗୁଥିଲା ସତେ ଯେପରି ଅନୁଭବଙ୍କୁ ବୟକଟ କରିଛନ୍ତି ଜିଲ୍ଲା ବିଜେଡି ।

ଏତିକିରେ ସରିନଥିଲା ଅନୁଭବଙ୍କ ଦୁର୍ଦ୍ଦଶା । କଷଣଅଣ୍ଟାରେ ଖେଳ ଷ୍ଟାଡିୟମ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ନାମଫଳକରେ ମଧ୍ୟ ଅନୁଭବଙ୍କୁ ବାଦ୍ ଦିଆଯାଇଥିଲା । ନାମଫଳକରେ ଜିଲ୍ଲା ବାହାରର ନେତାଙ୍କ ନାଁ ରହିଥିବା ବେଳେ ଜିଲ୍ଲାର ସାଂସଦ ଭାବେ ନା କାର୍ଯ୍ୟକ୍ରମକୁ ଅନୁଭବଙ୍କୁ ଡକାଯାଇଥିଲା ନା ନାମଫଳକରେ ନାଁ ରହିଥିଲା । ଏହାବାଦ୍ ଜିଲ୍ଳାର ବିଧାୟକ ମାନେ କରୁଥିବା ଦଳୀୟ କାର୍ଯ୍ୟକ୍ରମରେ ଅନୁଭବଙ୍କ ଅନୁପସ୍ଥିତି ସ୍ପଷ୍ଟ ଦର୍ଶାଉଛି ଯେ, ଜିଲ୍ଲା ନେତା ଅନୁଭବଙ୍କୁ ଆଉ ପାଖରେ ପୂରାଇଦେବା ମୁଡରେ ନାହାନ୍ତି । କାରଣ ଅନୁଭବଙ୍କ ସହ ମଞ୍ଚ ସେୟାର କରି ଭୋଟରଙ୍କୁ ଅସନ୍ତୁଷ୍ଟ କରିବାକୁ ଜିଲ୍ଲା ସ୍ତରୀୟ ନେତା ଚାହୁଁନଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଏବେ କେନ୍ଦ୍ରାପଡା ଯିବା ବଦଳରେ କଟକ ପ୍ରେମରେ ବୋଧହୁଏ ପଡି ଯାଇଛନ୍ତି ସାଂସଦ ଅନୁଭବ ମହାନ୍ତି ।

Comments (0)
Add Comment