ବିଧାନସଭାରେ ‘କୋଟିଆ’ କଳି

କୋରାପୁଟର କୋଟିଆକୁ ନେଇ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ବିଧାନସଭାରେ ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ଦିନକୁ ଦିନ ସଂଙ୍କୁଚିତ ହେଉଛି ଓଡ଼ିଶା ସୀମା । ଷଢ଼େଇକଳା, ଖରସୁଆଁ ପରେ ଓଡିଶା ଆନ୍ଧ୍ର ସୀମାରେ ଥିବା କୋଟିଆ ଏବେ ହାତରୁ ଖସିଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବିଧାନସଭାରେ ମୂଲତବୀ ପ୍ରସ୍ତାବ ଆଲୋଚନାବେଳେ ଏପରି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ରାଜ୍ୟ ସରକାର କୋଟିଆ ସମେତ ସୀମାବର୍ତ୍ତୀ ଗାଁରେ ମୌଳିକ ସୁବିଧା ପହଁଚାଇବାରେ ବିଫଳ ହୋଇଛନ୍ତି । କିନ୍ତୁ ଆନ୍ଧ୍ର ବିଭିନ୍ନ ସ୍କିମ କରି ଲୋକଙ୍କୁ ସୁବିଧା ଯୋଗାଉଛି, ଫଳରେ ଲୋକ ଆନ୍ଧ୍ର ଆଡକୁୁ ଢ଼ଳୁଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି । ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଶ୍ନ କରିଛନ୍ତି, ଓଡିଶାର ମାଟିକୁ ଆନ୍ଧ୍ର ମାଡି ବସୁଥିବାବେଳେ ସରକାର କଣ କରୁଛନ୍ତି? କୋଟିଆ ପାଇଁ ସର୍ବଦଳୀୟ ବୈଠକ ଡାକନ୍ତୁ ମୁଖ୍ୟମନ୍ତ୍ରୀ।

ସେପଟେ ଏହି ପ୍ରସଙ୍ଗକୁ ନେଇ ରାଜସ୍ୱ ମନ୍ତ୍ରୀ କହିଛନ୍ତି, ସୀମା ଅତିକ୍ରମକୁ ବରଦାସ୍ତ କରାଯିବ ନାହିଁ । କୋରାପୁଟ ସମେତ ଅନ୍ୟ ୬ଟି ଜିଲ୍ଲାରେ ସୀମା ବିବାଦ ଲାଗି ରହିଛି । କୋରାପୁଟ କୋଟିଆ ବିବାଦ ସୁପ୍ରିମକୋର୍ଟରେ ରହିଛି । ଆନ୍ଧ୍ର ସରକାର ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଅବମାନନା କରି ନିର୍ବାଚନ କରିଛି । ହେଲେ କୌଣସି ପଡୋଶୀ ରାଜ୍ୟର ସୀମା ଅତିକ୍ରମଣକୁ ବରଦାସ୍ତ କରାଯିବ ନାହିଁ ।ଅନ୍ୟପଟେ କୋରାପୁଟ କୋଟିଆର ବିକାଶ ପାଇଁ ଜିଲ୍ଳା ପ୍ରଶାସନ ମଧ୍ୟ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ପ୍ରତ୍ୟେକ ଗାଁକୁ ପୋଷ୍ୟ ଗ୍ରାମ୍ୟ ରୂପେ ପ୍ରଶାସନିକ ଅଧିକାରୀମାନେ ଗ୍ରହଣ କରିବେ ।

Comments (0)
Add Comment