କେବେ ତୁଟିବ ‘କୋଟିଆ’ କଳି?

କୋଟିଆ କଳିକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟଳୟ ସୁପ୍ରିମକୋର୍ଟଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା । ଓଡିଶା ପକ୍ଷରୁ ହୋଇଥିବା ଅଦାଲତ ଅବମାନନା ସଂର୍ପକିତ ରିଟ ପିଟିସନ ଉପରେ ଶୁଣାଣୀ ହୋଇଛି । ଆବେଦନର ଶୁଣାଣୀ କରି ସୁପ୍ରିମକୋର୍ଟ ଓଡିଶାକୁ ୪ସପ୍ତାହର ମହଲ୍୍ତ ଦେଇଛନ୍ତି । ଏହି ସମୟ ମଧ୍ୟରେ ଓଡିଶା ପ୍ରତି ଜବାବ ଦାଖଲ କରିବ ।

ପୂର୍ବରୁ ୫୦ ପୃଷ୍ଟାର ସତ୍ୟପାଠ ଦାଖଲ କରି କୋଟିଆର ୩ଟି ଗାଁ ନିଜର ବୋଲି ଦର୍ଶାଇଥିଲା ଆନ୍ଧ୍ର । ପଡୋଶୀର ଏଭଳି ଅଭିଯୋଗକୁ କୋର୍ଟରେ କାଉଂଟର କରିଛି ଓଡିଶା । ଓଡ଼ିଶାକୁ ୪ସପ୍ତାହର ସମୟ ମିଳିବା ପରେ ଓଡ଼ିଶା ପକ୍ଷ ଓକିଲ ଶିବଶଙ୍କର ମିଶ୍ର କହିଛନ୍ତି ଯେ ଆମ ପାଖରେ ପର୍ୟ୍ୟାପ୍ତ ଡକ୍ୟୁମେଣ୍ଟ ରହିଛି। ୧୯୩୬ ମସିହା ପରଠାରୁ ଆମ ପାଖେ ସବୁ ଡକ୍ୟୁମେଣ୍ଟ ଅଛି। ଆନ୍ଧ୍ର ଯେଉଁ ଡକ୍ୟୁମେଣ୍ଟ ଦାଖଲ କରିଛି, ସେସବୁ ମିଛ। ପୂର୍ବରୁ ସେଠାରେ ଆନ୍ଧ୍ର ନିର୍ବାଚନ କରିଥିବା ଦାବି ବି ମିଛ। ଆନ୍ଧ୍ର ତା ସପକ୍ଷରେ ୪/୫ଟି ଫଟୋ ଦେଖାଉଛି, କିନ୍ତୁ ଆମ ପାଖେ ଆମ ସପକ୍ଷରେ ଆଲବମ୍ ଭର୍ତ୍ତି ଫଟୋ ରହିଛି।୦୧୧ ଜନଗଣନା ରିପୋର୍ଟ ଏବଂ ୨୦୧୪ ଓ ୨୦୧୯ ନିର୍ବାଚନ ସଂପର୍କିିତ ତଥ୍ୟ ଉପସ୍ଥାପନ କରି ଆନ୍ଧ୍ରର ଦାବିକୁ ଖଣ୍ଡନ କରାଯାଇଛି । ତେବେ ଆନ୍ଧ୍ର ପକ୍ଷରୁ ହୋଇଥିବା ଦାବିକୁ କାଉଂଟର କରିବା ପାଇଁ ଓଡିଶାକୁ ଦସ୍ତାବିଜ ଦାଖଲ କରିବା ପାଇଁ କହିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ ।

ସେପଟେ କୋଟିଆ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଘେରିବାକୁ ଭୁଲିନାହାନ୍ତି ବିରୋଧୀ। କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ପ୍ରଶାସନକୁ ସଜାଗ କରି କୋର୍ଟରେ ତଥ୍ୟ ରଖନ୍ତୁ । ଯଦି ସୀମାନ୍ତ ଅଂଚଳକୁ ସୁରକ୍ଷା ଦେଇନପାରିଲେ ରାଜ୍ୟବାସୀ କ୍ଷମା ଦେବେନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଜେପିର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ସହିତ କଥା ହୁଅନ୍ତୁ। ନିଜେ କୋଟିଆ ଯାଆନ୍ତୁ। ତା ହେଲେ ସମସ୍ୟାର ସମାଧାନ ହୋଇପାରିବ। ସେପଟେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, ସୁପ୍ରିମକୋର୍ଟରେ ମାମଲା ଅଛି। ଆଶା କରୁଛୁ, ଆମକୁ ନିଶ୍ଚିୟ ନ୍ୟାୟ ମିଳିବ।
କେବଳ କୋଟିଆ ନୁହେଁ, ସୀମାବର୍ତ୍ତୀ ଅନ୍ୟ ଜିଲ୍ଲାର ଗାଁ ଉପରେ ମଧ୍ୟ ଆଖି ପକାଇଛି ଆନ୍ଧ୍ର ପ୍ରଶାସନ। ସେହିପରି ରାୟଗଡା ଜିଲ୍ଲାର ସାନଲୁକୁଟି ଗାଁ ନିକଟରେ ମଧ୍ୟ ଆନ୍ଧ୍ରପ୍ରଦେଶ ସରକାର ପୋଲ ତିଆରି କରୁଥିବା ଜଣାପଡିଛି। ଗଜପତି ଜିଲ୍ଲା କାଶୀନଗର ବ୍ଲକ ମୋଇଲଠାରେ ଆନ୍ଧ୍ର ପକ୍ଷରୁ ରାସ୍ତା ନିର୍ମାଣ କରାଯାଉଛି। ତେବେ ଗଜପତି ଜିଲ୍ଲା ପ୍ରଶାସନ ସେଠାରେ ପହଞ୍ଚି କାମ ବନ୍ଦ କରିବା ସହ ଏଥିରେ ବ୍ୟବହୃତ ସାମଗ୍ରୀ ଜବତ କରିଛି।

Comments (0)
Add Comment