କେଭିରେ ମାଗଣାରେ ପଢିବେ କୋଭିଡ ଅନାଥ

ଏଣିକି କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପଢ଼ିବେ କୋଭିଡ ଅନାଥ । କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦଙ୍କ କୋଟା ଉଚ୍ଛେଦ ପରେ ଲାଗୁ ହେଲା ନୂଆ ବ୍ୟବସ୍ଥା । ନୂଆ ବ୍ୟବସ୍ଥା ଅନୁଯାୟୀ, କରୋନା ମହାମାରୀ ଯୋଗୁଁ ଅନାଥ ହୋଇଥିବା ଶିଶୁଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ନାଁ ଲେଖାଇବାକୁ ସୁଯୋଗ ଦେବାକୁ ନିଷ୍ପତ୍ତି ହୋଇଛି । ପିଏମ୍ କେୟାର ଫର୍ ଚିଲଡ୍ରେନ୍ ଯୋଜନାରେ କରୋନା ମହାମାରୀ ଅନାଥଙ୍କୁ ନାଁ ଲେଖାଇବା ଲାଗି ସୁଯୋଗ ମିଳିବ । କୋଭିଡ୍ ଅନାଥଙ୍କ ସଂପର୍କରେ ଜିଲ୍ଲା ପ୍ରଶାସନ ଦେଇଥିବା ତାଲିକା ଭିତ୍ତିରେ ପିଲାଙ୍କୁ ଏହି ସୁଯୋଗ ମିଳିବ । ପ୍ରତ୍ୟେକ କେନ୍ଦ୍ରୀୟ ବିଦ୍ୟାଳୟରେ ୧୦ ଜଣ ଏବଂ ଶ୍ରେଣୀ ପ୍ରତି ସର୍ବାଧିକ ୨ ଜଣଙ୍କୁ ନାଁ ଲେଖାଇବାର ସୁଯୋଗ ମିଳିପାରିବ । ଏହି କୋଟାରେ ନାଁ ଲେଖାଇଥିବା ପିଲାଙ୍କୁ ସମସ୍ତ ଫି ଛାଡ଼ କରାଯିବ ।
କୋଭିଡ ଅନାଥ କୋଟାରେ ଆଡମିଶନ କରିଥିବା ପିଲାମାନେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ମାଗଣାରେ ପଢିପାରିବେ । ପିଲାମାନଙ୍କର କମ୍ପ୍ୟୁଟର ଫଣ୍ଡ, ଟ୍ୟୁସନ୍ ଫିସ୍ ସବୁକିଛି ଛାଡ କରାଯିବାକୁ ନିଷ୍ପତ୍ତି କରାଯାଇଛି ।
ସୂଚନା ମୁତାବକ, କେନ୍ଦ୍ରୀୟ ବିଦ୍ୟାଳୟରୁ ଏମପି କୋଟା ଉଚ୍ଛେଦ ପାଇଁ ସଂସଦରେ ଗତ ଅଧିବେଶନରେ ପ୍ରସ୍ତାବ ଆଗତ ହୋଇଥିଲା । ପୂର୍ବରୁ ଲୋକସଭା ସାଂସଦମାନେ ନିଜ ନିର୍ବାଚନ ମଣ୍ଡଳୀର ସ୍କୁଲମାନଙ୍କରେ ୧୦ ଜଣ ପିଲାଙ୍କୁ ନାମ ଲେଖା ପାଇଁ ସୁପାରିଶ କରିପାରୁଥିଲେ । ସେହିପରି ରାଜ୍ୟସଭାର ସଦସ୍ୟମାନେ ନିର୍ବାଚନ ହୋଇଥିବା ରାଜ୍ୟର ୧୦ଜଣ ପିଲାଙ୍କ ଆଡମିଶନ ନେଇ ସୁପାରିଶ କରିପାରୁଥିଲେ । କେଭି ପକ୍ଷରୁ ସ୍ପନସରସିପ୍ ଏଜେନ୍ସି କୋଟା ଆଡମିସନ୍ ମଧ୍ୟ ଉଚ୍ଛେଦ କରାଯାଇଛି ।

Comments (0)
Add Comment