ସଙ୍କଟ ବେଳେ ସଞ୍ଜିବନୀ ଶେଷ…

ସ୍ଥିତି ବିଗୁଡୁଛି, ସଞ୍ଜିବନୀ ସରୁଛି । କରୋନା ଯେତେବେଳେ ଭୟଙ୍କର ରୂପ ଧାରଣ କରୁଛି ଠିକ୍ ସେତିକି ବେଳେ ହିଁ ଭ୍ୟାକ୍ସିନର ଅଭାବ ଦେଖିବାକୁ ମିଳୁଛି । ଦେଶରେ ଯେବେ କରୋନା ଟିକେ କଚ୍ଛପ ଗତିରେ ମାଡୁଥିବା, ଟିକେ ଧିମା ହୋଇଥିଲା ସେବେ ଟୀକାକରଣ ଜୋରଦାର ଚାଲିଥିଲା । ମାତ୍ର ମହାମାରୀ ମହାରୂପ ଧାରଣ କରିବା ପରେ ପରେ ହିଁ ରାଜ୍ୟରେ ଦେଖା ଦେଇଛି ଟୀକାର ଘୋର ଅଭାବ । ଟୀକା ସରୁଛି, ସରି ଆସୁଛି, ସରିଯିବ । ଏଇ ଦିନେ ଦୁଇ ଦିନ ଭିତରେ ଟୀକା ଶେଷ ହେବା ପରେ ରାଜ୍ୟରେ ବନ୍ଦ ରହିବ ଟୀକାକରଣ । ଆଉ ତାପରେ ସ୍ଥିତି କେଉଁ ରୂପ ନେବ ତାହା କଳନା କରିବା ମୁସ୍କିଲ ହୋଇପଡୁଛି । ଗୋଟିଏ ପଟେ କରୋନାର ଭୟାବହତା ରାଜ୍ୟବାସୀଙ୍କୁ ଛାନିଆ କରିଥିବା ବେଳେ ଦୈନିକ ସଂକ୍ରମଣ ୮୦୦ ପାରଉଛି ଯାହା ପୁଣି ଥରେ ଆସନ୍ନ ବିପଦର ସୂଚନା ଦେଉଛି । ଆଉ ଠିକ ଏହି ସମୟରେ ହିଁ ଟୀକାର ଅଭାବ ସମସ୍ତଙ୍କୁ ଟେନସନ ଦେଉଛି ।

ତେବେ ଟୀକା ଅଭାବରୁ ରାଜ୍ୟରେ ପାଖାପାଖି ୭୦୦ ଅଧିକ ଟୀକାକରଣ କେନ୍ଦ୍ର ବନ୍ଦ ହୋଇଗଲାଣି । ପ୍ରଥମେ ଦୈନିକ ୧୪୦୦ଟି କେନ୍ଦ୍ରରେ ଟୀକାକରଣ ଚାଲୁଥିବା ବେଳେ ଟୀକାର ଅଭାବରୁ ଏବେ ୬୪୫ଟି କେନ୍ଦ୍ର ବନ୍ଦ ହୋଇଗଲାଣି । ଆଉ ମାତ୍ର ୭୫୫ଟି କେନ୍ଦ୍ରରେ ଟୀକା ଦିଆ ଚାଲିଛି । ଟୀକାକରନ୍ୟ ରାଜ୍ୟ ତୁଳନାରେ ରେକର୍ଡ ସୃଷ୍ଟି କରୁଥିବା ବେଳେ ଦୈନିକ ୨.୫ ଲକ୍ଷ ଟୀକାକରଣ କରାଯାଏ । ଗତକାଲି ୧ ଲକ୍ଷ ୧୦ ହଜାର ୮୮୯ଟି ଡୋଜ୍ ଦିଆଯାଇଛି । ଆଉ ଏବେ ୪ ଲକ୍ଷ ୩୫ ଡୋଜ୍ କୋଭିସିଲ୍ଟ ମହଜୁଦ ରହିଛି ଏବଂ ୧ ଲକ୍ଷ ୧୪ ହଜାର ୪୯୦ କୋଭାକ୍ସିନ ଗଚ୍ଛିତ ରହିଛି । ଯାହା ଆଗାମୀ ୨ ଦିନରେ ସରିଯିବ । ତେବେ ନଜର ପକାନ୍ତୁ ଏପ୍ରିଲ ୨ ତାରିଖରୁ ୭ ତାରିଖ ଯାଏଁ ଟୀକାକରଣର ଚାର୍ଟ । କେମିତି ଧିରେଧିରେ ଅଭାବ ହୋଇଛି ଟୀକା… ଏପ୍ରିଲ ୨- (୧୪୧୧) କେନ୍ଦ୍ରରେ ୨ ଲକ୍ଷ ୫୨, ୦୮୦ ଟୀକାକରଣ । ଏପ୍ରିଲ ୩- (୧୪୭୬) କେନ୍ଦ୍ର, ୨ ଲକ୍ଷ ୭୨ ହଜାର ୪୮୦ ଟୀକାକରଣ । ଏପ୍ରିଲ ୪- (୧୨୪୨) କେନ୍ଦ୍ର, ୧ ଲକ୍ଷ ୬୭ ହଜାର, ୦୩୪ ଟୀକାକରଣ । ଏପ୍ରିଲ ୫- (୧୪୭୨) କେନ୍ଦ୍ର, ୨ ଲକ୍ଷ ୬୩ ହଜାର ୦୪୧ ଟୀକାକରଣ । ଏପ୍ରିଲ ୬- (୧୧୦୩) କେନ୍ଦ୍ର, ୧ ଲକ୍ଷ ୭୩ ହଜାର ୩୦୭ ଟୀକାକରଣ । ଏପ୍ରିଲ ୭- (୭୮୦) କେନ୍ଦ୍ର, ୧ ଲକ୍ଷ ୧୦ ହଜାର ୮୮୯ ଟୀକାକରଣ ହୋଇଛି ।

ସେପଟେ ଟୀକାର ଅଭାବ କରୋନା କାଳରେ ଏକ ଚିନ୍ତାଜନକ ପରିସ୍ଥିତି ସ୍‌ୃଷ୍ଟି କରିଛି । ଆଉ ୟାରି ଭିତରେ ଯଦି ଆଜି ସନ୍ଧ୍ୟା ସୁଦ୍ଧା ଟୀକା ଆସି ନପହଞ୍ଚେ ତେବେ ଶନିବାର ଠାରୁ ରାଜ୍ୟରେ ଟୀକାକରଣ ବନ୍ଦ ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଦିନକ ଅଢେଇ ଲକ୍ଷ ଟୀକା ଆବଶ୍ୟକତା ହେଉଥିବାରୁ ଆଗାମୀ ୧୦ ଦିନ ପାଇଁ ୧୫ ଲକ୍ଷ ଟୀକା ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ତେବେ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୀକା ଯୋଗାଇବାକୁ କହି ପାରନ୍ତି ।

ତେବେ ଆସନ୍ତା ୧୧ରୁ ସବୁ ସରକାରୀ, ବେସରକାରୀ ଅଫିସରେ ଟୀକାକରଣ ପାଇଁ ସରକାର ନିଷ୍ପ୍‌ତି ନେଇଛନ୍ତି । ଟୀକାକରଣକୁ ଅଧିକ ବ୍ୟାପକ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବେଳେ ମୂଳରୁ ତ ଟୀକା ନାହିଁ କେମିତି ଟୀକାକରଣ ସମ୍ଭବ ହେବ ତାହା ଏବେ କୋଟିଏ ଟଙ୍କାର ପ୍ରଶ୍ନ ଛିଡା କରିଛି । ଯଦି ଆସି ସନ୍ଧ୍ୟା ସୁଦ୍ଧା ଟୀକା ନଆସେ ତେବେ କଣ ହେବ ପରିଣତି ? ସଂକ୍ରମଣ ବଢୁଥିବା ବେଳେ ଟୀକା ଅଭାବ ଏକ ବଡ ବିପଦକୁ ଡାକି ଆଣିବନି ତ ?

Comments (0)
Add Comment